ଧାନ କିଣାରେ ଅନିୟମିତତା ଅଭିଯୋଗରେ ଜିଲ୍ଲା ଯୋଗାଣ ଅଫିସ ଆଗରେ ବିଜେପିର ଧାରଣା
ଭଦ୍ରକ ୪/୨: ( ସୁନିଲ ଦତ୍ତ) ଧାନ କିଣାରେ ଅନିୟମିତତା ଅଭିଯୋଗରେ ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେଲା ବିଜେପି।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ୩୨ ଟି ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ଭଣ୍ଡାରିପୋଖରୀ ବ୍ଲକ ରେ ଥିବା ୧୫ଟି ମଣ୍ଡି ଓ ବନ୍ତ ବ୍ଲକର ୧୭ଟି ମଣ୍ଡିରେ ଚାଷୀଙ୍କ ଧାନ ପଡି ରହିଛି। ଏହି ମଣ୍ଡିରେ କୁଇଣ୍ଟାଲ ପିଛା ୫-୬ କେଜି ଧାନ କଟନି ଛଟନି ମଧ୍ୟ କରା ଯାଉଛି । ଏପରିକି ଧାନ ବସ୍ତା ପିଛା ୭୦୦ଗ୍ରାମ ଧାନ କଟାଯାଉଛି। ସେହିପରି ଟୋକନ ଥିବା ଚାଷୀଙ୍କ ଧାନ ଧାନ ମଣ୍ଡି ଆଗରେ ପଡି ରହିଛି। ଖରା ଓ କାକରରେ ପଡିରହି ଧାନ ନଷ୍ଟ ହେଉଥିବାର ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଏ ସଂପର୍କରେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନର ଅବଗତ କରାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଯାହାକୁ ନେଇ ଭଦ୍ରକ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ଏବଂ ଚାଷୀମାନେ ଧାରଣାରେ ବସିଛନ୍ତି।
ଭଣ୍ଡାରିପୋଖରୀର ବିଜେପି ନେତା ବଦ୍ରି ନାରାୟଣ ଧଳଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରତିନିଧି ଏହି ଧାରଣାରେ ସାମିଲ ହୋଇଛନ୍ତି। ୧୧ ଦଫା ଦାବିରେ ଚାଷୀ ଏବଂ ବିଜେପି ନେତା ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି। ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କ ସହ ବିଜେପି ର ତୁଙ୍ଗ ନେତା ଓ ଚାଷୀମାନେ ଯୋଗ ଦେଇଛନ୍ତି। ଏହି ଧାରଣାରେ ରାଜ୍ଯ ସରକାରଙ୍କ ଚାଷୀ ନୀତିକୁ ବିରୋଧ କରିବା ସହିତ ଆଗାମୀ ଦିନରେ ଚାଷୀଙ୍କ ସମସ୍ୟା ସରକାର ସମାଧାନ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।