ମାର୍ଚ୍ଚ ୧୫ ଓ ୧୬ରେ ବ୍ୟାଙ୍କ ଷ୍ଟ୍ରାଇକ୍, କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ ୦୯।୦୨: ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦୁଇ ଦିନ ଦେଶବ୍ୟାପୀ ହେବ ବ୍ୟାଙ୍କ ଧର୍ମଘଟ । ଏହାର ପୂର୍ବ ଦୁଇଦିନ ଅର୍ଥାତ ୧୩ ଓ ୧୪ ତାରିଖ ହେଉଛି ୨ୟ ଶନିବାର ଓ ରବିବାର । ଏଣୁ ଏହି ଦୁଇଦିନ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହେ । ଫଳରେ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ । ସେହିପରି ମାର୍ଚ୍ଚ ୧୧ ତାରିଖ ମହାଶିବରାତ୍ରୀ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । କେବଳ ମାର୍ଚ୍ଚ ୧୨ (ଶୁକ୍ରବାର) ଦିନ ବ୍ୟାଙ୍କ ଖୋଲା ରହିବ ।

ବ୍ୟାଙ୍କ ସହ ଜଡିତ ୯ ସଂଗଠନର ପ୍ରମୁଖ ସଂସ୍ଥା ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ(ୟୁଏଫବିୟୁ) ଏହି ବ୍ୟାଙ୍କ ହଡତାଳର ଆହ୍ଵାନ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୁଦ୍ଧରେ ବ୍ଯାଙ୍କ ୟୁନିୟନ ଧର୍ମଘଟ ଡକରା ଦେଇଛନ୍ତି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ବଜେଟରେ ୨ ସରକାରୀ ବ୍ୟାଙ୍କର ଘରୋଇକରଣ କରାଯିବ ବୋଲି ଘୋଷଣା କରିଥିଲେ । ଏହା ସହିତ ଏହାକୁ ବ୍ୟାଙ୍କ ୟୁନିୟନମାନେ ତୀବ୍ର ବିରୋଧ କରୁଛନ୍ତି ।

କେନ୍ଦ୍ର ସରକାର ୨୦୧୯ରେ ଆଇଡିବିଆଇ ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରି କରି ଏହାର ଘରୋଇକରଣ କରି ସାରିଛନ୍ତି। ଏହା ବ୍ୟତୀତ ଗତ ଚାରି ବର୍ଷରେ ୧୪ ସରକାରୀ ବ୍ୟାଙ୍କର ମିଶ୍ରଣ ମଧ୍ୟ ହୋଇ ସାରିଛି।

ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ୍ ଆସୋସିଏସନର ସଂପାଦକ ସିଏଚ ଭେଙ୍କଟଚଲମ କହିଛନ୍ତି, ବୈଠକ ସମୟରେ ଏଲଆଇସି ଓ ଗୋଟିଏ ସାଧାରଣ ବୀମା କମ୍ପାନୀର ଘରୋଇକରଣ, ବୀମା ସେକ୍ଟରରେ ୭୪ ପ୍ରତିଶତ ଏଫଡିଆଇକୁ ମଞ୍ଜୁରୀ ଦେବା ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପରେ ବ୍ୟାଙ୍କ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଛି।

ୟୁଏଫବିୟୁର ବୈଠକରେ ଆଲୋଚନା ସମୟରେ ଏହା ଜଣା ପଡିଥିଲା ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇକରଣ ପାଇଁ ନିଆଯାଇଥିବା ନିଷ୍ପତ୍ତିର କୁପ୍ରଭାବ କର୍ମଚାରୀଙ୍କ ଉପରେ ପଡିବ। ତେଣୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରାଯିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ସଂଗଠନ ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇ ଦିନ ଦେଶବ୍ୟାପୀ ବ୍ୟାଙ୍କ ହଡତାଳ କରିବାକୁ ଆହ୍ଵାନ କରିଛି।

ସୂଚନାଯୋଗ୍ୟ, ୟୁଏଫବିୟୁରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋଇଜ ଆସୋସିଏସନ(AIBEA), ଅଲଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ(AIBOC), ନ୍ୟାସନାଲ କନଫେଡେରେସନ ଅଫ ବ୍ୟାଙ୍କ ଏମ୍ପ୍ଲୋଇଜ(NCBE), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ((AIBOA) ଓ ବ୍ୟାଙ୍କ ଏମ୍ପ୍ଲୋଇଜ କନଫେଡେରେସନ ସାମିଲ। ଏହା ବ୍ୟତୀତ ମୁଖ୍ୟ ସଂଗଠନରେ ଆଇଏନବିଇଏଫ, ଆଇଏନବିଓସି, ଏନଓବିଡବ୍ଲ୍ୟୁ ଓ ଏନଓବିଓ ମଧ୍ୟ ସାମିଲ।

Leave a Reply

Your email address will not be published. Required fields are marked *