ପୁଣି ଘାରିଲା କରୋନା ଭୟ, ଓଡିଶାରେ କଡାକଡି ହେବ କୋଭିଡ ନିୟମ

ଭୁବନେଶ୍ଵର ୧୯।୦୨: ପୁଣି ଥରେ ଫେରିଲା କରୋନା ଭୟ। ଓଡ଼ିଶାରେ ପୁଣି କଡାକଡି ପାଳନ ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜ୍ୟ ସରକାର ସାନି ସତର୍କତା ଜାରି କରିଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ପୋଲିସ ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କୁ ଚିଠି ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ଏବେ ଦୈନିକ ୩ ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଦେଖି ଉଦ୍ଧବ ଠାକରେ ସବୁଠୁ ରାଜ୍ୟରେ ଅଧିକ ସଂକ୍ରମଣ ବଢୁଥିବା ଅମରାବତୀରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଚିନ୍ତା ପ୍ରକଟ୍ କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ବ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ତେଣୁ ସତର୍କ ନହେଲେ କିମ୍ବା ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନନେଲେ କରୋନା ବଢିପାରେ ବୋଲି ରାଜ୍ୟ ସରକାର କହିଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ବଢ଼ିଥିବାରୁ ଆମ ରାଜ୍ୟରେ ବି ଏହା ପୁଣି ଥରେ ବଢ଼ିପାରେ। ଯଦି ଆମେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନ ନେବା ତା’ହେଲେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା ଦେଖାଯାଉଛି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସଂକ୍ରମଣ ଯେଭଳି ନ ବଢ଼ିବ, ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ହେବ। ଜନଗହଳି ସ୍ଥାନରେ କଟକଣା ଲଗାଯିବା ସହିତ ଟେଷ୍ଟିଂକୁ ଗୁରୁତ୍ବ ଦିଆଯିବ।

ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ଦିନ ଠାରୁ ଆଜିଯାଏଁ ୩ ଲକ୍ଷ ୩୬ ହଜାର ୫୧୩ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ୧ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୩୩ ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୬୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *