ଅଭାବୀ ଧାନ ବିକ୍ରୀକୁ ନେଇ ସେକ୍ରେଟାରୀଙ୍କୁ ତାଲା ପକାଇଲେ ଚାଷୀ

ନୀଳଗିରି ୨୦।୦୨ : (ସଂକେତ୍ ଟିଭି) ଅଭାବୀ ଧାନ ବିକ୍ରୀକୁ ନେଇ କୋଅପରେଟିପ୍ ସୋସାଇଟିର ସଂପାଦକଙ୍କୁ ତାଲା ପକାଇଲେ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ସୋସାଇଟିରେ ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏବେ ଅଭାବୀ ଧାନବିକ୍ରି ଦେଖାଦେଇଛି। ଧାନ ମଣ୍ଡିରେ ବିକ୍ରି ପାଇଁ ଟୋକନ ପାଇଥିଲେ ମଧ୍ୟ ଟାର୍ଗେଟ ନଥିବା ଆଳ ଦେଖାଇ ସୋସାଇଟି ସେକ୍ରେଟାରୀମାନେ ଚାଷୀଙ୍କୁ ବହୁ ହଇରାଣ କରୁଥିବାର ଅଭିଯୋଗ ଉଠିଛି। ଆଜି ସନ୍ଧ୍ୟାରେ ମିତ୍ରପୁର ସୋସାଇଟିରେ ଉତ୍ୟକ୍ତ ଚାଷୀମାନେ ସେକ୍ରେଟାରୀଙ୍କୁ ଅଫିସରେ ତାଲା ପକାଇ ପ୍ରତିବାଦ କରିଥିବା ଜଣାପଡ଼ିଛି। ଏହି କେନ୍ଦ୍ରରେ ଆସନ୍ତା ୨୨ ତାରିଖରେ ଧାନ ଦେବାର ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଆଜି ଚାଷୀମାନେ କାଗଜପତ୍ର ସ୍କାନ କରିବାକୁ ଆସିଥିଲେ। ତିନି ଜଣ ଚାଷୀ ସ୍କାନ କରିବା ପରେ ଆଉ ଟାର୍ଗେଟ ନାହିଁ କହି ରାତ୍ର ୮ ଟା ସମୟରେ ଅନ୍ୟ ଚାଷୀମାନଙ୍କୁ କାର୍ଯ୍ୟରତ ସେକ୍ରେଟାରୀ ଅନନ୍ତ ପତି କହିଥିଲେ। ତେଣୁ ଧାନ ବିକ୍ରୀ ଆଉ କରିନପରିବା ଆଶଙ୍କା ଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଉତ୍ୟକ୍ତ ଚାଷୀମାନେ ସେକ୍ରେଟାରୀଙ୍କୁ ଅଫିସରୁ ବାହାରକୁ ଆସିବାକୁ ଦେଇନଥିବା ବେଳେ ତାଲା ପକାଇଦେଇ ଧାରଣା ଦେଇଥିବାର ଜଣାପଡିଛି। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ପୂର୍ଣଚନ୍ଦ୍ର ସ, ଚିତ୍ତରଞ୍ଜନ ବେହେରା, ବଳରାମ ମଲ୍ଲିକ, ଗୌତମ ମହାରଣା, ସୁରେନ୍ଦ୍ରନାଥ ସ୍ୱାଇଁ, ଜତିନ୍ଦ୍ର କୁମାର ଦାସ, ଧୀରେନ୍ଦ୍ର କୁମାର ବାରିକ, ଗୋପୀନାଥ ମହାରଣା, ପ୍ରଦୀପ କୁମାର ମହାନ୍ତି ଓ ଅନ୍ୟ ଚାଷୀମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *