ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ,୨୨।୨: ପୁଡୁଚେରୀରେ କଂଗ୍ରେସ ସରକାର ଭାଙ୍ଗି ଯାଇଛି। ଆସ୍ଥା ଭୋଟରେ ହାରି ନାରାୟଣସ୍ବାମୀଙ୍କ ସରକାରର ପତନ ଘଟିଛି । ତେବେ ଏହି ସରକାର ଭାଙ୍ଗିବା ପଛରେ ପୂର୍ବତନ ଉପରାଜ୍ୟପାଳ କିରଣ ବେଦି ଓ ବିଜେପିର ହାତ ଥିବା ନାରାୟଣସ୍ବାମୀ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ସୋମବାର କଂଗ୍ରେସ ସରକାରର ଭବିଷ୍ୟତ ନିର୍ଦ୍ଧାରିଣ କରିବା ପାଇଁ ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ଶାସକ କଂଗ୍ରେସ-ଡିଏମକେ ମେଣ୍ଟ ବହୁମତ ହରାଇଥିବା ନେଇ ବିରୋଧୀ ଦଳ ଦାବି କରିବା ପରେ ପୁଡୁଚେରୀର ନବ-ନିଯୁକ୍ତ ଉପରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଡତା ପ୍ରମାଣ କରିବାକୁ ନିର୍ଦେଶ ଦେଇଥିଲେ।

ଏହି ସମୟରେ ଉପ-ରାଜ୍ୟପାଳଙ୍କ ନିର୍ଦେଶାନୁସାରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଆଗତ କରିଥିଲେ। ଆସ୍ଥାଭୋଟରେ ନାରାୟଣସ୍ବାମୀଙ୍କ ସରକାର ହାରିଯାଇଥିଲେ। ଏହାପରେ ସେ ଉପ-ରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣଙ୍କ ସମେତପାଞ୍ଚ ଜଣ କଂଗ୍ରେସ ବିଧାୟକ ଏବଂ ଡିଏମକେ ବିଧାୟକ ଭେଙ୍କଟେସନ୍ ରବିବାର ଇସ୍ତଫା ଦେବାପରେ ୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମକେ ମେଣ୍ଟର ବିଧାୟକଙ୍କ ସଂଖ୍ୟା ହ୍ରାସ ପାଇ ୧୧ ହୋଇଯାଇଥିଲା। ଏଥିରେ କଂଗ୍ରେସରେ ସାତ ଜଣ ବିଧାୟକ ଥିବାବେଳେ ଡିଏମକେର ଚାରିଜଣ ବିଧାୟକ ଅଛନ୍ତି । ବର୍ତ୍ତମାନ ୨୬ ଆସନ ବିଶିଷ୍ଟ ଏହି ବିଧାନସଭାରେ ବହୁ ମତ ପାଇଁ ୧୪ ଜଣ ବିଧାୟକ ଆବଶ୍ଯକ ଥିବାବେଳେ କଂଗ୍ରେସ ପାଖରେ ବାଚସ୍ପତିଙ୍କୁ ମିଶାଇ ୧୨ ଜଣ ବିଧାୟକ ଅଛନ୍ତି । ତେବେ ବାଚସ୍ପତି ନିଜେ ଭୋଟ ଦେଇପାରିବେ ନାହିଁ । ଫଳରେ ସଂଖ୍ଯା ୧୧କୁ ହ୍ରାସ ପାଇଛି ।

ସେପଟେ ବିରୋଧୀ ଦଳର ୧୪ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ଯରୁ ସାତ ଜଣ ଏନଆର କଂଗ୍ରେସ, ଚାରି ଜଣ ଏଆଇଏଡିଏମକେ ଏବଂ ତିନି ଜଣ ମନୋନିତ ବିଧାୟକ ଅଛନ୍ତି ।

Leave a Reply

Your email address will not be published. Required fields are marked *