ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ଗିରଫ

ଭୁବନେଶ୍ୱର ୨୨।୨: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଛି । ଘଟଣାର ୨୨ ବର୍ଷ ପରେ ଅପରାଧର ମୁଖ୍ୟ ଖଳନାୟକ ବିବନ ବିଶ୍ଵାଳ ଧରା ପଡ଼ିଛି ।

ଏକଦା ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା । ସେହି ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟଙ୍କର ହାତ ଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଫଳରେ ଓଡିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଆସନ ହରାଇବାକୁ ପଡିଥିଲା ।

୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ଦିନ ଘଟିଥିବା ଏହି ଗଣଦୁଷ୍କର୍ମର ପୀଡିତା ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ । ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ବେଲଗାଛିଆରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଗାଡିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ । ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡିଥିଲେ । ଅଦାଲତ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ହେଲେ ସେଇ ବିବନ ଯିଏ ଥିଲା ଜଘନ୍ୟ କାଣ୍ଡର ମୁଖ୍ୟ କାର୍ପଟଦାର ସେ ଅଦୃଶ୍ୟ ଥିଲା । ବର୍ଷେ ଦୁଇ ବର୍ଷ ପାଇଁ ନୁହେଁ । ପୁରା ୨୨ ବର୍ଷ ଧରି ସେ ସିବିଆଇକୁ ଚକମା ଦେଇ ଆସୁଥିଲା ।

କମିଶନରେଟ୍ ପୋଲିସ ୩ ମାସ ତଳୁ ଅଭିଯୁକ୍ତ ବିବନକୁ ଖୋଜିବା ଲାଗି ଅପରେସନ୍ ସାଇଲେଣ୍ଟ୍ ଭାଇପର ଆରମ୍ଭ କରିଥିଲା । ତେବେ ମୁମ୍ବାଇ-ପୁନେ ରାସ୍ତାରେ ଛଦ୍ମ ନାମରେ ବିବନ ରହୁଥିବା ନେଇ ପୋଲିସ ଖବର ପାଇଥିଲା । ଜଳନ୍ଧର ସ୍ବାଇଁ ନାଁରେ ନଭି ମୁମ୍ବାଇରେ ରହୁଥିଲା ବିବନ । ନିଜର ମୃତ୍ୟୁ ପ୍ରମାଣ ପତ୍ର ଯୋଗାଡ କରିବାରେ ଲାଗିଥିଲା ବିବନ । ମାତ୍ର ସେଥିରେ ସେ ସଫଳ ହୋଇପାରିନାହିଁ । ଶେଷରେ ପୋଲିସ ହାତରେ ଧରାପଡିଗଲା ।

ଜଣାପଡିଛି ଯେ, ବିବନ ସେଠାରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଛି । ନୂଆ ପରିଚୟ ସହିତ ନୂଆ ଜୀବନ ଯିଉଁଛି ବିବନ । ନୂଆ ନାଁ ଥିଲା ଜଳନ୍ଧର ସ୍ୱାଇଁ । ଖାଲି ଏତିକି ନୁହେଁ ବିବନ ଜଳନ୍ଧର ନାମରେ ଯୋଗାଡ କରିଥିଲା ଆଧାର କାର୍ଡ । ସେଇ ଆଧାର କାର୍ଡରେ ଖୋଲିଥିଲା ବ୍ୟାଙ୍କ ଆକାଉଣ୍ଟ । ଘରକୁ ବି ପଠାଉଥିଲା ଟଙ୍କା । ୨୦୦୭ରେ ବିବନ ଆମ୍ବିଭ୍ୟାଲିରେ କାମ ଆରମ୍ଭ କରିଥିଲା । ୨୦୧୧ ମସିହାରେ ବିବନ ଓରଫ ଜଳନ୍ଧରକୁ ସିଏ କାମ କରୁଥିବା କମ୍ପାନୀ ସ୍ଥାୟୀ କରିଥିଲା ।

Leave a Reply

Your email address will not be published. Required fields are marked *