ପିପିଲି ଉପ-ନିର୍ବାଚନ ପୂର୍ବରୁ ପିପିଲି ପାଇଁ ସ୍ବତନ୍ତ୍ର ପ୍ଯାକେଜ୍ ଘୋଷଣା କଲେ ନବୀନ

ଭୁବନେଶ୍ବର ୨୩।୨: ପିପିଲି ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଓ ଡେଲାଙ୍ଗ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି।

ଏହି ପ୍ୟାକେଜ୍ରେ ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶମୂଳକ ପ୍ରକଳ୍ପ ହେବ। ଏହି ଅବସରରେ ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗରିବ ଲୋକଙ୍କ ମୁହଁର ହସ ମୋତେ ସବୁଠୁ ବେଶୀ ସନ୍ତୋଷ ଦିଏ । ଲକ୍‌ଡାଉନରେ କରୋନାକୁ ନଡରି ଚାଷୀ ଭାଇମାନେ ଚାଷ କରୁଥିଲେ । ଚାଷୀ ଭାଇର ପରିଶ୍ରମ ଯୋଗୁଁ ଦେଶର ଅର୍ଥନୀତି ବଞ୍ଚି ରହିଛି ବୋଲି ନବୀନ କହିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଅବଦାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । କରୋନାର ଭୟ ଏବେ ବି ରହିଥିବା ନେଇ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ନିୟମ ମାନି ଚଳିବାକୁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇ ନବୀନ କହିଛନ୍ତି ଯେ, ସେ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଅନେକ ପରିଶ୍ରମ କରିଥିଲେ। ଜୀବନ ସାରା ଏହି ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ।

ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୩ରେ ପ୍ରଥମେ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ଡେଲାଙ୍ଗରେ ପ୍ରଥମେ ତାଙ୍କର ପାଦ ପଡ଼ିଥିଲା। ସେଥିପାଇଁ ଡେଲାଙ୍ଗ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ହେବ ବୋଲି ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ପିପିଲିର ଉପନିର୍ବାଚନ ପାଇଁ ଆଉ କିଛି ମାସ ରହିଥିବାବେଳେ ନବୀନ ସ୍ବତନ୍ତ୍ର ପ୍ଯାକେଜ୍ କାର୍ଡ ଖେଳି ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *