ଇମାମୀ ପେପର ମିଲ୍ସ ବିକ୍ରି ହେବା ସନ୍ଦେହ ଘନିଭୂତ, କମ୍ପାନୀ କରୁନାହିଁ ନୂତନ ମଜୁରୀ ଚୁକ୍ତିନାମା

ବାଲେଶ୍ବର ୨୩।୨: ( ସଂକେତ୍ ଟିଭି) ବାଲେଶ୍ୱର ଜିଲ୍ଲା ବାଳଗୋପାଳପୁରଠାରେ ଥିବା ଇମାମୀ ପେପର ମିଲ୍ସ ବିକ୍ରି ହେବା ନେଇ ଲାଗି ରହିଥିବା ସନ୍ଦେହ ଘନିଭୂତ ହୋଇଛି । ବିଶେଷ କରି ଇମାମୀ ପେପର ମିଲରେ କାମ କରୁଥିବା କର୍ମଚାରୀମାନେ ଏଥିନେଇ ଏବେ ସନ୍ଦେହ ପ୍ରକାଶ କରୁଛନ୍ତି ।

ଗତ ତିନି ମାସ ତଳେ ପୁରୁଣା ମଜୁରୀ ଚୁକ୍ତିନାମାର ଅବଧି ଶେଷ ହୋଇଥିବାବେଳେ ବିଭିନ୍ନ ଆଳ ଦେଖାଇ ଇମାମୀ ପେପର ମିଲ କମ୍ପାନୀ କର୍ତ୍ତୃପକ୍ଷ ନୂତନ ମଜୁରୀ ଚୁକ୍ତିନାମା ଆଉ ସ୍ବାକ୍ଷର କରୁନାହାଁନ୍ତି । ଏହାକୁ ନେଇ କର୍ମଚାରୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ପେପର ମିଲ୍ ବିକ୍ରି ହେବା ନେଇ ଲାଗି ରହିଥିବା ସନ୍ଦେହ ଘନୀଭୂତ ହୋଇଛି ।

ଇମାମୀ ପେପର୍ସ ମଜଦୁର ସଂଘର ସଭାପତି ତଥା ରେମୁଣା ବ୍ଲକ ଅଧ୍ଯକ୍ଷ ସୁଶାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଇମାମୀ ପେପର ମିଲ ବିକ୍ରି ହେବା ନେଇ ଆମକୁ ମଧ୍ଯ ସନ୍ଦେହ ହେଉଛି । ନୂତନ ମଜୁରୀ ଚୁକ୍ତିନାମା ନେଇ ଆମେ ବାରମ୍ବାର କର୍ମାନୀର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଦୀର୍ଘ ତିନି ମାସ ହେଲା ଆଲୋଚନା କରିଛୁ । ହେଲେ ସେମାନେ ବିଭିନ୍ନ ଆଳ ଦେଖାଇ ନୂତନ ମଜୁରୀ ଚୁକ୍ତିନାମା କରୁନାହାଁନ୍ତି । ଫଳରେ କର୍ମଚାରୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ଲାଗିରହିଥିବାବେଳେ କମ୍ପାନୀ ବିକ୍ରି ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

ଏହା ପୂର୍ବରୁ ମଧ୍ଯ ଲାଭରେ ଚାଲିଥିବା ଇମାମୀ ସିମେଣ୍ଟ ଫେକ୍ଟ୍ରି ସବୁକୁ କମ୍ପାନୀ ବିକ୍ରି କରିସାରିଛି । ତେବେ ନୂତନ ମଜୁରୀ ଚୁକ୍ତିନାମା ସ୍ବାକ୍ଷର ନ କରିବା ପଛରେ କମ୍ପାନୀର କଣ ଉଦ୍ଦେଶ୍ଯ ରହିଛି ତାହା ଜଣାପଡୁନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେପଟେ ଏନେଇ ଆମେ ଇମାମୀ ପେପର ମିଲର ଲୋକସଂପର୍କ ଅଧିକାରୀ ମନୋଜ ପାଢୀଙ୍କୁ ଯୋଗାଯୋଗ କରିଥିଲୁ । ତେବେ କରୋନା କାଳ ପାଇଁ ପେପର ଉତ୍ପାଦନ ବନ୍ଦ ରହିଥିଲା । ଏବେ ଏହା ସ୍ବାଭାବିକ ହେବାରେ ଲାଗିଛି । କରୋନା କଟକଣା ପାଇଁ ନୂତନ ମଜୁରୀ ଚୁକ୍ତିନାମା ସ୍ବାକ୍ଷର ଏବଂ କାର୍ଯ୍ଯକାରୀ ହେବାରେ ବିଳମ୍ବ ହେଉଛି । ଏଥିନେଇ କମ୍ପାନୀର ଉଚ୍ଚ କର୍ତ୍ତୃପକ୍ଷ ଏବଂ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ମଧ୍ଯରେ ଆଲୋଚନା ଜାରି ରହିଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *