ଡକାୟତି ମାମଲାରେ ପୂର୍ବତନ ବିଜେଡି ବିଧାୟକ ଓ ସହଯୋଗୀ ଗିରଫ
କନ୍ଧମାଳ, ୨୩/୦୨ : (ସଂକେତ ଟିଭି) ଜେଲ ଗଲେ ବିଜେଡିର ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର। ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଜଣେ ପଥଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ଏବଂ ମାଡପିଟ ଅଭିଯୋଗରେ ତାଙ୍କୁ ଫୁଲବାଣୀ ପୋଲିସ୍ ଗିରଫ କରିଛି। ତାଙ୍କ ସହ ଜଣେ ଆରବିଏନର ହାବିଲଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ଗିରଫ କରାଯାଇଛି। ସେପଟେ ସୁବେଦାର ଶିବବ୍ରତ ବେହେରା ଫେରାର ଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ,ଗତ ୧୧ ତାରିଖରେ ପରଜଙ୍ଗ ଥାନା ଅଞ୍ଚଳର କାମାକ୍ଷୀ ବେହେରା ନାମକ ଜଣେ ବ୍ୟକ୍ତି ନିଜ କାରରେ କନ୍ଧମାଳ ଜିଲ୍ଲା କାଶିନୀପଦର ଅଞ୍ଚଳରେ ରହୁଥିବା ଜଣେ ସାଙ୍ଗଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଉରୁମଗଡ଼ ଗାଁ ରାସ୍ତାରେ କାମାକ୍ଷୀ ସଠିକ ଠିକଣା ପଚାରିଥିଲେ। ପରେ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କାମାକ୍ଷୀଙ୍କୁ ଠିକଣା କହିବା ବଦଳରେ ତାଙ୍କୁ ମାଡ଼ ମାରିବା ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ। ଟଙ୍କା ଲୁଟ୍ କରିବା ପରେ କାମାକ୍ଷୀଙ୍କୁ ଛାଡ଼ିଦେଇଥିଲେ। ଏନେଇ କାମାକ୍ଷୀ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ମଙ୍ଗଳବାର ପୁଲିସ୍ ପୂର୍ବତନ ବିଧାୟକଙ୍କୁ ଗିରଫ କରିଛି। ତେବେ ଦେବେନ୍ଦ୍ରଙ୍କ ଗିରଫଦାରୀ ନୂଆ ନୁହେଁ। ଏହା ପୂର୍ବରୁ ୨୦୧୮ରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ମଧ୍ୟ ଦେବେନ୍ଦ୍ରଙ୍କୁ ଗିରଫ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। କୋର୍ଟ ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଦେବନ ଖାରଜ କରିଦେଇଛନ୍ତି। ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀ ଶଙ୍କର ବେହେରା କହିଛନ୍ତି। ବର୍ତ୍ତମାନ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।