ଜାଲ୍ ଜାତି ପ୍ରମାଣପତ୍ର ଦେଇ ଡିଏସପି ପାହ୍ଯାକୁ ପଦୋନ୍ନତି ପାଇଲେ ଥାନା ବାବୁ

ସମ୍ବଲପୁର ୨୩।୨: ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଛନ୍ତି ପୋଲିସ ବାବୁ । ନିକଟରେ ସେ ଥାନା ବାବୁରୁ ପ୍ରମୋସନ ପାଇ ଡିଏସପି ହୋଇଛନ୍ତି । ସମ୍ବଲପୁର ଟାଉନ ଥାନା ଆଇଆଇସି ରମେଶ ଦୋରାଙ୍କ ନାଁରେ ଏହି ଅଭିଯୋଗ ଆସିଛି ।

ସୂଚନା ଅନୁସାରେ, ସମ୍ବଲପୁର ଟାଉନ ଥାନା ଆଇଆଇସି ରମେଶ ଦୋରାଙ୍କ ମୂଳ ଜାତି ତେଲେଙ୍ଗା, ଯାହାକି ଓବିସି ରେ ଆସୁଛି । ହେଲେ ରମେଶ ଦୋରା ଚାକିରି ସମୟରେ ଦାଖଲ କରିଥିବା ଜାତିଗତ ସାର୍ଟିଫିକେଟରେ ନିଜକୁ କଣ୍ଡ ବୋଲି ଦର୍ଶାଇଛନ୍ତି । ଯାହାକି ତଫସିଲ ଭୁକ୍ତ ଜନଜାତି ବା ଏସ୍‌ଟି । ତେବେ ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରା କିଛି ଦିନ ତଳେ ଡିଏସପିକୁ ପ୍ରମୋସନ ପାଇଥିଲେ। ଏହି ଅଭିଯୋଗ ପରେ ତାଙ୍କୁ ଅନ୍ୟ ସ୍ଥାନରେ ପୋଷ୍ଟିଂ ଦିଆଯାଇନଥିବାରୁ ସେ ପୂର୍ବଭଳି ଥାନାବାବୁ ଦାୟିତ୍ଵରେ ରହିଛନ୍ତି ।

ଚାକିରି ସମୟରେ ଜାଲ ଜାତିଗତ ପ୍ରମାଣପତ୍ର ଦେବା ଅଭିଯୋଗରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି। ପୋଲିସ ମହାନିର୍ଦେଶକ, ସମ୍ବଲପୁର ଏସପି, ଉତ୍ତରାଞ୍ଚଳ ରାଜସ୍ବ କମିଶନର, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସହ ଡିଏସପି ଦୋରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ବଲପୁର ଏସପି ଏହାର ତଦନ୍ତ ଦାୟିତ୍ଵ ସଦର ଏସଡିପିଓଙ୍କୁ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *