ମାର୍ଚ୍ଚ ୧ ତାରିଖରୁ ସବୁ ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ ୨୪।୦୨: ଦେଶର ସବୁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ମାଗଣା କରୋନା ଟିକା ଦିଆଯିବ । ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ତେବେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯଦି ଗମ୍ଭୀର ରୋଗର ଶିକାର ହୋଇଥାନ୍ତି ତେବେ ସେମାନଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ । କରୋନା ଭାଇରସ୍ ଟୀକାକରଣକୁ ନେଇ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ଏହି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର କହିଛନ୍ତି ୬୦ ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ। ଦ୍ଵିତୀୟ ପର୍ଯ୍ୟାୟରେ ୧୦ ହଜାର ସରକାରୀ କେନ୍ଦ୍ର ଓ ୨୦ ହଜାରରୁ ଅଧିକ ଘରୋଇ କେନ୍ଦ୍ରରେ ଟିକାକରଣ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଜାଭଡେକର କହିଛନ୍ତି ସରକାରୀ କେନ୍ଦ୍ରରେ ଟିକାକରଣ ମାଗଣାରେ ହେବ। ତେବେ ଘରୋଇ ହସ୍ପିଟାଲରେ ଯେଉଁମାନେ ଟିକା ନେବେ ସେମାନଙ୍କୁ ଏଥିପାଇଁ ଟଙ୍କା ଦେବାକୁ ପଡିବ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ଏନେଇ ସୂଚନା ଦେଇ କହିଛନ୍ତି ଯେ, କରୋନା ଟିକାର ମୂଲ୍ୟ ବାବଦରେ ଦୁଇ ରୁ ତିନି ଦିନ ମଧ୍ୟରେ ଘୋଷଣା କରାଯିବ । ଏନେଇ ଭ୍ୟକ୍କିନ ନିର୍ମାତା ଓ ହସ୍ପିଟାଲ ସହ ସରକାର ଆଲୋଚନା କରୁଛନ୍ତି ।

ତେବେ ଦେଶର ୧୦ ହଜାର ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ଦିଆଯିବ । ସେହିଭଳି ୨୦ ହଜାର ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯିବ ।

Leave a Reply

Your email address will not be published. Required fields are marked *