୩ୟ ଟେଷ୍ଟ: ପ୍ରଥମ ଦିନ ୧୧୨ ରନରେ ଧରାଶାୟୀ ହେଲା ଇଂଲଣ୍ଡ, ଭାରତ ୯୯/୩

ଅହମ୍ମଦାବାଦ ୨୪।୦୨: ଅହମଦାବାଦରେ ଆଜି ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ନିଜର ପ୍ରଥମ ପାଳିରେ ମାତ୍ର ୧୧୨ ରନରେ ଅଲଆଉଟ ହୋଇଯାଇଛି । ସେପଟେ ଭାରତ ବ୍ଯାଟିଂ କରିବାକୁ ଆସି ୩ ଓ୍ବିକେଟରେ ୯୯ ରନ ସ୍କୋର କରିଛନ୍ତି ।

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ବ୍ଯାଟିଂ ବିପର୍ଯ୍ଯୟର ସମ୍ମୁଖୀନ ହୋଇଥିଲା। ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ତେବେ କ୍ରାଉଲି ୫୩ ରନ ଓ ରୁଟ ମାତ୍ର ୧୭ ରନ କରି ଆଉଟ ହେବା ପରେ ଦଳ ସଂକଟ ମଧ୍ୟକୁ ଠେଲିହୋଇଯାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ବି କ୍ରିଜରେ ଅଧିକ ସମୟ ତିଷ୍ଠିପାରିନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୪୮.୩ ଓଭର ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ଅକ୍ଷର ପଟେଲ ଘାତକ ବୋଲିଂର ପ୍ରଦର୍ଶନ କରି ୬ଟି ଓ୍ବିକେଟ ନେଇଥିଲେ । ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

ଭାରତ ବ୍ଯାଟିଂ କରିବାକୁ ଆସି ଖେଳ ଶେଷ ସୁଦ୍ଧା ୩ ଓ୍ବିକେଟ ବିନିମୟରେ ୯୯ ରନ ସ୍କୋର କରିଛି । ଭାରତର ରୋହିତ ଶର୍ମା ୫୭ ଏବଂ ଅଜିଙ୍କା ରାହାଣେ ଏକ ରନ କରି କ୍ରିଜରେ ଅଛନ୍ତି । ଭାରତର ଶୁଭମ ଗିଲ୍ ୧୧, ଚେତେଶ୍ବର ପୂଜାରା ୦ ଏବଂ ବିରାଟ କୋହଲି ୨୭ ରନ ସ୍କୋର କରି ପ୍ଯାଭିଲିଏନକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *