ଧାନ କିଣାରେ ଅନିୟମିତତା: ସମବାୟ ସମିତିର ସମ୍ପାଦକ ନିଲମ୍ବିତ
ନୀଳଗିରି ୨୪।୦୨: ( ସଂକେତ୍ ଟିଭି) ଧାନ କିଣାରେ ଅନିୟମିତତା କରିବା ଅଭିଯୋଗରେ ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଇଶ୍ବରପୁର ସେବା ସମବାୟ ସମିତିର ସଂପାଦକଙ୍କୁ ନିଲମ୍ବନ କରାଯାଇଛି ।
ସୂଚନାଯୋଗ୍ୟ, ମିଲ୍ ମାଲିକ, ଧାନ ବେପାରୀ ଓ ସମିତିର ସମ୍ପାଦକଙ୍କ ମଧୁ ଚନ୍ଦ୍ରିକାରେ ନୀଳଗିରି ର ବିଭିନ୍ନ ମଣ୍ଡିରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଇଥିବା ନଜରକୁ ଆସିଛି। ଟୋକନ ଥିବା ସତ୍ବେ ଟାର୍ଗେଟ ପୂରଣ ହୋଇଥିବା କହି ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ବେଳେ ମିତ୍ରପୁର ,ନିଜଗଡ଼,ସଜନାଗଡ଼ ସୋସାଇଟି ରେ ଏଭଳି ଅଭିଯୋଗ ଆସିଥିଲା। ଈଶ୍ୱରପୁର ସେବା ସମବାୟ ସମିତି ରେ ଅନିୟମିୟତା ସବୁ ସୀମାକୁ ଟପି ଯାଇଥିବାବେଳେ ସୋମବାର ଠାରୁ ସମିତି ଆଗରେ ଚାଷୀ ମାନେ ଧାରଣା ଦେଇଥିଲେ। ଗତକାଲି ପୂର୍ବାହ୍ନରେ ଧାନମଣ୍ଡିକୁ ନୀଳଗିରି ଉପଜିଲ୍ଲାପାଳ, ଯୋଗାଣ ଅଧିକାରିଣୀ ଓ ଅନ୍ୟ ଅଧିକାରୀ ଯାଇ ଖୋଳତାଡ଼ ଆରମ୍ଭ କରିଥିଲେ। ଏହି ତଦନ୍ତ ସମୟରେ ଚାଷୀ ମାନଙ୍କର ପଞ୍ଜିକରଣ କୁ ଚଂଚକତା କରି ବେଆଇନ ଭାବେ ୬୦୦ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଥିଲା। ସବୁ ଅନିୟମିତତାକୁ ସ୍ୱୀକାର କରି ସଂପାଦକ ଜଣକ ଏକ ପତ୍ରରେ ଲେଖି ଦେଇଥିଲେ। ପରେ ଘଟଣାର ସତ୍ୟତା ଜାଣି ଆଜି ଜିଲ୍ଲାପାଳଙ୍କ ନିର୍ଦେଶ ରେ ସମ୍ପାଦକ ଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।