କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ ଯବାନଙ୍କୁ ସଂଘବଦ୍ଧ ଆକ୍ରମଣ, ୨ ଯବାନ ଗୁରୁତର
ଭଦ୍ରକ ୨୪।୦୨: (ସୁନିଲ ଦତ୍ତ) କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଆରପିଏଫ ଯବାନ । ଏହି ଆକ୍ରମଣରେ ୨ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଧାମରାରୁ ଆସୁଥିବା ଟ୍ରେନ୍ ଯୋଗେ ବ୍ୟାପକ ପରିମାଣରେ ଚୋରା କୋଇଲା ଚାଲାଣ ହେଉଛି । ଚୋରା କୋଇଲାକୁ ସ୍ଥାନୀୟ ଲୋକ ବେଆଇନ୍ ଇଟାଭାଠିରେ ବ୍ୟବହାର କରିଥାନ୍ତି । ଯାହାର ଅଭିଯୋଗ ଆସିବା ପରେ ଆରପିଏଫ୍ ଟିମ୍ ଛାନ୍ଭିନ୍ ଆରମ୍ଭ କରିଥିଲା । ଆରପିଏଫର ୮ଜଣିଆ ଟିମ୍ ଖବର ପାଇ ପଳାସପୁରରେ ଚଢ଼ାଉ କରି ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲା । ତେବେ ଏହି ସମୟରେ ସ୍ଥାନୀୟ ଅଞ୍ଚଳ ୨୦ ରୁ ୩୦ଜଣ ଲୋକେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯାହାଫଳରେ ଆରପିଏଫର ୨ଜଣ କର୍ମଚାରୀ ମୁକେଶ କୁମାର ଓ ପୂର୍ଣ ଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରଥମେ ତିହିଡି ଏବଂ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।