ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କରୋନା ସଂକ୍ରମଣ

ଭୁବନେଶ୍ବର ୨୭।୨: ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି। ୬ଟି ରାଜ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬ ରାଜ୍ୟରୁ ୮୫ ପ୍ରତିଶତରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ଏବଂ କେରଳରେ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ବୋଲି କୁହାଯାଉଛି । ଦେଶରେ ଗତ ୭ ଦିନ ମଧ୍ୟରେ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ବଢ଼ିଛି । ତେବେ ଜାତୀୟ ସ୍ତରରେ ସକ୍ରିୟ ମାମଲା ପ୍ରାୟ ୧୫ ହଜାର ବୃଦ୍ଧି ହୋଇଛି। ଶନିବାର ଦେଶରେ ସକ୍ରିୟ ମାମଲା ୧,୫୬,୫୧୮ ଥିଲା। ଯାହା ମୋଟ୍‌ ପଜିଟିଭ୍‌ ମାମଲାର ୧.୪୧ ପ୍ରତିଶତ। ଅନ୍ୟପକ୍ଷେ ୬ ରାଜ୍ୟରୁ ୮୬ ପ୍ରତିଶତ ନୂଆ କରୋନା ମୃ୍ତ୍ୟୁ ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା ସମେତ ୧୮ ରାଜ୍ୟ ଉପରେ କଡ଼ା ନଜର ରହିଛି। ଉପରୋକ୍ତ ରାଜ୍ୟ ମାନଙ୍କରେ ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ କରୋନା ପ୍ରଜାତିର ପ୍ରାୟ ୨୦୦ ମାମଲା ଥିବାରୁ ଏହି ରାଜ୍ୟମାନଙ୍କ ଉପରେ କଡ଼ା ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *