ନବବିବାହିତା ଶାଳୀକୁ ଧରି ଭିଣୋଇ ଫେରାର, ସାଙ୍ଗରେ ନେଇଗଲେ ସୁନା ଗହଣା ଏବଂ ଲକ୍ଷାଧିକ ଟଙ୍କା

ଭବାନୀପାଟଣା ୨୭।୨: ଜଣେ ନବବିବାହିତା ମହିଳା(ଶାଳୀ)ଙ୍କୁ ଧରି ଭିଣୋଇ ଫେରାର । ସାଙ୍ଗରେ ବିପୁଳ ପରିମାଣରେ ସୁନା ଗହଣା ଏବଂ ଲକ୍ଷାଧିକ ଟଙ୍କା ମଧ୍ୟ ନେଇ ଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ସନ୍ଧିକୁଲିହାରୀ ଗାଁରେ ।

ସୂଚନା ଅନୁସାରେ, ଧର୍ମଗଡ଼ ଥାନା ଚିଲଚିଲା ଗାଁର ଜଣେ ଯୁବତୀ ଗତ ୧୪ ତାରିଖରେ ସନ୍ଧିକୁଲିହାରୀ ଗାଁରେ ବିବାହ କରିଥିଲେ । ୨୩ ତାରିଖ ହଠାତ୍‌ ତାଙ୍କ ଶାଶୁ ପକ୍ଷାଘାତର ଶିକାର ହେବା ପରେ ସ୍ୱାମୀଙ୍କ ସହ ଅନ୍ୟ ପରିବାର ବର୍ଗ ତାଙ୍କୁ ଭୁବନେଶ୍ୱର ଏକ ଡାକ୍ତରଖାନାରେ ଚିକତ୍ସା ପାଇଁ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ସମୟରେ ନବବିବାହିତା ପରିବାର ଅନ୍ୟ ସଦସ୍ୟଙ୍କ ସହ ଘରେ ଥିଲେ । ତେବେ ୨୫ତାରିଖ ରାତିରେ ତାଙ୍କ ଭିଣୋଇ ରୋହିତ ଠାକୁର ଘରକୁ ଆସି ଛୁରି ଧରି ପରିବାର ଲୋକଙ୍କୁ ଭୟଭୀତ କରିଥିଲେ । ଏଥିରେ ନବବିବାହିତ ଶାଳୀ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ । ଏହା ପରେ ଦୁହେଁ ଘରୁ ୮ ଭରି ସୁନା ଗହଣା ସହ ୨ ଲକ୍ଷ ୩୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।

ଏନେଇ ପରିବାର ଲୋକେ ଧର୍ମଗଡ ଥାନାରେ ଅଭିଯୋଗ କରିଛନ୍ତି । ଧର୍ମଗଡ ପୋଲିସ ଏକ ମାମଲା ରୁଜୁ କରି ଫେରାର ଥିବା ଅଭିଯୁକ୍ତ ଭିଣୋଇ ରୋହିତ ଠାକୁର ଏବଂ ମହିଳା ଜଣକୁ ଧରିବା ପାଇଁ ଉଦ୍ଯମ ଜାରି ରଖିଛି । ରୋହିତ ଧର୍ମଗଡ଼ ଥାନା ଖୁଟୁଲୁଗୁଡା ଗାଁର ବାସିନ୍ଦା ହୋଇଥିବା ବେଳେ ସଂପ୍ରତି ଗୋଲାମୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଶାଳୀ ଭିଣୋଇ ମଧ୍ୟରେ ଅନୈତିକ ସମ୍ପର୍କ କାରଣରୁ ଏଭଳି ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *