୮କୋଟି ଟଙ୍କାର ଜାଲ୍ ନୋଟ ଜବତ ଘଟଣାର ପର୍ଦାଫାଶ, ରାୟପୁରରୁ ଭାଇଜାକ୍ ଭାୟା କୋରାପୁଟ
କୋରାପୁଟ ୦୨।୦୩: କୋରାପୁଟର ସୁଙ୍କି ଆଉଟପୋଷ୍ଟରେ ୭କୋଟି ୯୦ ଲକ୍ଷ ଟଙ୍କାର ଜାଲ୍ ନୋଟ ଧରାପଡିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ଛତିଶଗଡ ରାଜଧାନୀ ରାୟପୁରରୁ ଆନ୍ଧ୍ର ପ୍ରଦେଶର ଭାଇଜାକ୍କୁ ଏହି ଜାଲ ନୋଟ ଚାଲାଣ ହେଉଥିବା ପୋଲିସ କହିଛି। ଜାଲ ନୋଟ ସହ ଛତିଶଗଡର ଚମ୍ପା ଜିଲ୍ଲା ଜଞ୍ଜଗୀର ଅଞ୍ଚଳର ତିନିଜଣଙ୍କୁ ଗିରଫ କରାଯାଇଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏକ ପ୍ରତିଷ୍ଠିତ ପାୱାର ପ୍ଲାଣ୍ଟରେ କାମ କରୁଥିବା ଇଞ୍ଜିନିୟର, ଜଣେ କର୍ମଚାରୀ ଓ ଜଣେ ଡ୍ରାଇଭର ରହିଥିବା ଜଣାପଡିଛି। କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲି ଏ ନେଇ ଆଜି ସୁନାବେଡ଼ା ଏସଡିପିଓଙ୍କ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
କୋରାପୁଟର ସୁଙ୍କି ଆଉଟପୋଷ୍ଟରେ ପୋଲିସର ଏମ୍ଭି ଚେକିଂ ଚାଲିଥିଲା । ଏହି ସମୟରେ କୋରାପୁଟ ପଟୁ ବିଜୟ କୁମାର ବର୍ମନଙ୍କ ନାମରେ ରହିଥିବା ଏକ ଫୋର୍ଡ ଫିଗୋ କାରଟି ଦ୍ରୁତ ଗତିରେ ଯାଉଥିଲା। ପୋଲିସ ଗାଡ଼ିକୁ ଅଟକାଇଥିଲା। କାରର ପଛ ସିଟ୍ରେ ଦୁଇଟି ବଡ ବ୍ୟାଗ ଥିବା ବେଳେ ପଛ ସିଟ୍ରେ ମଧ୍ୟ ଦୁଇଟି ବ୍ୟାଗ ତାଲା ପଡିବା ଅବସ୍ଥାରେ ରହିଥିଲୋ। ଏହାକୁ ଯାଞ୍ଚ କରିବା ପରେ ସେଥିରେ ନକଲି ନୋଟ ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଗଣିବା ପରେ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ମିଳିଥିଲା। ୧୫୮୦ଟି ପାଞ୍ଚ ଶହ ଟଙ୍କିଆ ବିଡା ରହିଥିଲା।
ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଜଣାପଡ଼ିଛି ଯେ ରାୟପୁରରେ ଏକ କଲର ଜେରକ୍ସରେ ଏହା ଛପା ଯାଇଥିଲା। ଏହାକୁ ସେମାନେ ରାୟପୁରରୁ ଭାଇଜାଗ୍ ନେଇ ଯାଉଥିଲେ। ଏହି ସମସ୍ତ ଅଭିଯୁକ୍ତ ଛତିଶଗଡ ରାଜ୍ୟର। ଏହାସହ ସେମାନଙ୍କ ଠାରୁ ୫ଟି ମୋବାଇଲ୍ ଓ ୩୭ ହଜାର ନଗଦ ଟଙ୍କା ଜବତ କରାଯାଇଛି ବୋଲି ଏସପି କହିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମାଷ୍ଟରମାଇଣ୍ଡ ରହିଥିଲା । ଯିଏ ପେଶାରେ ଜଣେ ଇଞ୍ଜିନିୟର ବୋଲି ଏସପି ସୂଚନା ଦେଇଛନ୍ତି ।
ତେବେ ଜାଲ୍ ନୋଟର ରାକେଟ ଯେ ଓଡ଼ିଶା ମଧ୍ୟରେ ଚାଲିଛି ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେହିପରି ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଯେଉଁଠି ଜାଲ୍ ନୋଟ୍ ଛପା ଯାଉଛି ଏବଂ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି । କୋରାପୁଟ ପୁଲିସ ଏଦିଗରେ ତଦନ୍ତ ଆରମ୍ଭ କରିଛି ।