ଦିଲ୍ଲୀରେ ନୁହେଁ କଟକରେ ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି

କଟକ ୦୫/୦୩ : ( ପୂର୍ଣ୍ଣେନ୍ଦୁ ପ୍ରଧାନ ) ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଅର୍ଥାତ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପରିବର୍ତ୍ତେ ଏବେ ଏହି ମାମଲାର ଶୁଣାଣି କଟକର ଫ୍ୟାମିଲି କୋର୍ଟରେ ହେବ। ଆଜିର ଶୁଣାଣି ପରେ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମାମଲା କଟକ ସ୍ଥାନାନ୍ତର ପାଇଁ ହୋଇଥିବା ପିଟିସନକୁ ଅନୁଭବ ବିରୋଧ କରି ନଥିଲେ, ବରଂ ମାମଲା କଟକ ସ୍ଥାନାନ୍ତର ପାଇଁ ତାଙ୍କ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା। ଏପରିକି ଯଥାଶୀଘ୍ର ଶୁଣାଣି ଆରମ୍ଭ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ। ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ।

ଏହି ବହୁଚର୍ଚ୍ଚିତ ଷ୍ଟାର କପଲଙ୍କ ଭିତରେ ପାରିବାରିକ ବିବାଦ ରହିଆସିଛି । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି। ଏହାପରେ ଭରଣପୋଷଣ ପାଇଁ କଟକ ଫ୍ୟାମିଲି କୋର୍ଟକୁ ଯାଇଥିଲେ ବର୍ଷା । ପରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହୋଇଥିବା ମାମଲାକୁ କଟକ ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବର୍ଷା । ଆଜି ଏହି ମାମଲାର ଶୁଣାଣି କରି କଟକକୁ ମାମଲା ସ୍ଥାନାନ୍ତର କରିଛନ୍ତି ଅଦାଲତ ।

ସୂଚନାଯୋଗ୍ୟ ଯେ, ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଆଉ କେହି ନୁହେଁ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହିଁ ତାଙ୍କ ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ନିର୍ଯାତନା ଅଭିଯୋଗ ସହ ସ୍ୱାମୀ ଅନୁଭବଙ୍କ ଠାରୁ ଭରଣ ପୋଷଣ ଦାବି କରି କଟକ ଏସ୍‌ଡିଜେଏମଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ଅଭିନେତ୍ରୀ ବର୍ଷା ତାଙ୍କ ପିଟିସନରେ ସ୍ୱାମୀ ଅନୁଭବଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆଣିଥିଲେ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ସ୍ୱାମୀ ଅନୁଭବଙ୍କ ଠାରୁ ନିଜର ଭରଣ ପୋଷଣ ପାଇଁ ଘରଭଡ଼ା ବାବଦରେ ୨୦ହଜାର ଟଙ୍କା, ମାସିକ ଭରଣ ପୋଷଣ ପାଇଁ ୫୦ହଜାର ଟଙ୍କା, କ୍ଷତି ପୂରଣ ପାଇଁ ୧୩କୋଟି ଟଙ୍କା, ଚିକିତ୍ସା ଓ ରୋଜଗାର ହରାଇଵା ଯୋଗୁଁ ୨କୋଟି ଟଙ୍କା ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *