ଯାତ୍ରା ମଂଚରୁ ଦୂରେଇ ଗଲେ ସୁରେଶ ପଣ୍ଡା …

ଭୂବନେଶ୍ବର : ଜଲିଉଡର ସୁପର ଷ୍ଟାର ସୁରେଶ ପଣ୍ଡା , ଏଥର କୌଣସି ଯାତ୍ରା ପାର୍ଟି ସହ ସେ ଡିଲ୍ କରି ନାହାଁନ୍ତି । ଓଡିଆ ଯାତ୍ରା ଦର୍ଶକଙ୍କୁ ନିରାଶ କରି ସେ ଘରେ ରହିଛନ୍ତି । ଖାସ କରି ସୁରେଶଙ୍କ ଫ୍ୟାନମାନେ ଦୁଃଖ କରୁଛନ୍ତି । ଦୀର୍ଘ ୩୪ବର୍ଷ ଯାତ୍ରା ମଂଚରେ ଦମଦାର ଅଭିନୟ କରି ସୁରେଶ ପଣ୍ଡା ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ଆରମ୍ଭରୁ ଶେଷ ଯାଏଁ ସେ ହିରୋ ଭୂମିକାରେ ଅଭିନୟ କରିଛନ୍ତି । ରଘୁନାଥ ପଣ୍ଡାଙ୍କ ପାର୍ଟିରୁ ନିଜର କ୍ୟାରିଅର ଆରମ୍ଭ କରି କଳିଙ୍ଗ ଗଣନାଟ୍ୟ, ପୁରା ଲମ୍ବା ଇନିଂସ । କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିବା ବେଳେ ଲକଡାଉନ ପାଇଁ ପାର୍ଟି ବନ୍ଦ ହୋଇଗଲା । ଆଉ ସେହି ସମୟରେ କଳିଙ୍ଗ ଗଣନାଟ୍ୟର ପ୍ରଯୋଜକ ବିଧାୟକ ପ୍ରଦୀପ ମହାରଥିଙ୍କ ଦେହାନ୍ତ ହୋଇଗଲା । ଏହାରି ଭିତରେ ସୁରେଶ ପଣ୍ଡା ଆଉ କୌଣସି ପ୍ରଯୋଜକ ଅଧୀନରେ କାମ କରିବେ ନାହିଁ ବୋଲି ଏକ ନିଷ୍ଠୁର ନିଷ୍ପତି ନେଇଗଲେ । ଅନେକ ଅଫରକୁ ସେ ଏଥର ଆଡେଇ ଦେଇ ଘରେ ରହିଛନ୍ତି ।

ସୁରେଶ ପଣ୍ଡା ଅନେକ ଯାତ୍ରା ପାର୍ଟିରେ ଅଭିନୟ କରିଥିଲେ ବି ତୁଳସୀ ଗଣନାଟ୍ୟରେ ସେ କୋଡିଏ ବର୍ଷ କାଟିଛନ୍ତି । ସୁରେଶ ପଣ୍ଡା ଓ ଜୁଲି ପଣ୍ଡାଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ସେହି ତୁଳସୀ ଗଣନାଟ୍ୟରେ ଅଭିନୟ କରୁଥିବା ବେଳେ ସୁରେଶଙ୍କ ନାଁରେ – “ବନ୍ଧା ପଡିଗଲା ସୁରେଶ ପଣ୍ଡା” ନାଟକ ହୋଇଥିଲା । ମଶାଣୀ ଫୁଲ, ମିଛ ସଂପର୍କ, ବଳକ୍ରାର ଆଦି ଅନେକ ସଫଳ ନାଟକ ସେ ତୁଳସୀରେ ଅଭିନୟ କରିଛନ୍ତି । ସେହିପରି “ଏମିତି ଦଶା ବାପ ଡାକୁଛି ପୁଅ ମଉସା ” , “ଏସିପି ବଳଦେବ ସିଂ”, “ବାପର ଚଉକା ପୁଅର ଛକା”, “ଦାରୁ ଦାରି ଦାଦାଗିରି”, “ଉଜାଣି ବହୁଛି ଯମୁନା ନଈ” ଭଳି ଶତାଧିକ ସଫଳ ନାଟକରେ ରହିଛି ସୁରେଶଙ୍କ ଅଭିନୟ ।

ତୁଳସୀ ଗଣନାଟ୍ୟ ଛାଡିବା ପରେ ସ୍ୱର୍ଣ୍ଣମହଲ, ତା ପରେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ । ତାଙ୍କ କ୍ୟାରିଅରରେ ଉତ୍ତର କୂଳ, ମାଆ ଗଣନାଟ୍ୟ , ଅପେରା ତାରପୁର , ଅଷ୍ଟଶମ୍ଭୁ, ଗୌରୀ ଗଣନାଟ୍ୟ, ତୁଳସୀ ଗଣନାଟ୍ୟ, ପୃଥିବୀ ଅପେରାରେ ବି ସେ ଅଭିନୟ କରିଥିଲେ । ନିଜେ ସୁରେଶ ପଣ୍ଡା ପୃଥିବୀ ଅପେରାରେ ପ୍ରଯୋଜକ ହୋଇଥିଲେ । ତେବେ ପରିଚାଳଗତ ତ୍ରୁଟି ଯୋଗୁଁ, ବନ୍ଦ ହୋଇଗଲା ପୃଥିବୀ ଅପେରା । ଏବେବି ସେ କ୍ଷତକୁ ଭୁଲି ନାହାଁନ୍ତି ସୁରେଶ ପଣ୍ଡା ।

ସୁରେଶ ସିନା ଏଥର କୌଣସି ଯାତ୍ରା ପାର୍ଟି ସହ ଚୁକ୍ତି କରି ନାହାଁନ୍ତି, ତେବେ ସେ ମଂଚକୁ ଅଲବିଦା କରି ନାହାଁନ୍ତି । ଯୁବ ପିଢୀକୁ ସେ ଅଭିନୟ ଶିଖାଇବେ । ଯାତ୍ରା ୟୁନିଭରସିଟି ନାଁରେ ଏକ ଅନୁଷ୍ଠାନ ଗଢିବାକୁ ଯାଉଛନ୍ତି ସୁରେଶ ପଣ୍ଡା । ନୂଆ ନୂଆ କଳାକାରଙ୍କୁ ନେଇ ଏହି ଅନୁଷ୍ଠାନ ପୁଣି ଆସିବ ଦର୍ଶକଙ୍କ ନିକଟକୁ , ଆଉ ସେହିଥିରେ ସୁରେଶଙ୍କ ଅଭିନୟ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *