ରାଜସ୍ଥାନରେ ବିବାହ ସାରି ଭୁବନେଶ୍ବର ପହଂଚିଲେ ନବ ଦମ୍ପତି ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା
ଭୂବନେଶ୍ବର,୦୫।୦୩: ରାଜସ୍ଥାନରେ ବିବାହ ପରେ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ ଅର୍ଚ୍ଚିତା ଆଜି ଭୁବନେଶ୍ୱରରେ ପହଁଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ଉଭୟଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରିଛନ୍ତି ଫ୍ୟାନ ।
ଗତ ୧ ତାରିଖରେ ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସବ୍ୟସାଚୀଙ୍କ ସହ ଅର୍ଚ୍ଚିତାଙ୍କ ବିବାହ ସମ୍ପନ୍ନ ହୋଇଥିଲା । ରିଲ୍ ଲାଇଫରୁ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି ସବ୍ୟ ଓ ଅର୍ଚିତା । ବିବାହ ପରେ ଆଜି ଓଡିଶାରେ ପଂହଚିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ପ୍ରଶଂସକ ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା।
ଭୁବନେଶ୍ୱର ଫେରିବା ପରେ ନବ ଦମ୍ପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାହାଘରକୁ ନେଇ ଗୁମର ଖୋଲିଛନ୍ତି ଉଭୟ । ଗତବର୍ଷ ଉଭୟଙ୍କ ବାହାଘର ହେବାର ଥିଲା । ମାର୍ଚ୍ଚରେ ବିବାହ ଲାଗି ସ୍ଥିର ହୋଇଥିଲା । କିନ୍ତୁ ମହାମାରୀ କରୋନା ଲାଗି ବିବାହ ସମ୍ପନ୍ନ ହୋଇପାରି ନଥିଲା ବୋଲି ସବ୍ୟସାଚୀ କହିଛନ୍ତି ।

କୋଭିଡ୍ କଟକଣାକୁ ନଜରରେ ରଖି ଶୁଭେଚ୍ଛୁଙ୍କ ଗହଳି ଓ ସୁରକ୍ଷା ରଖି ଉଭୟ ପରିବାର ସମ୍ମତିରେ ରାଜସ୍ଥାନରେ ବିବାହ ଲାଗି ସ୍ଥିର କରିଥିଲେ ବୋଲି ସବ୍ୟ କହିଛନ୍ତି । ଏଥିସହ ସବ୍ୟସାଚୀ ଜୀବନରେ ସଫଳତାର ଶ୍ରେୟ ଅର୍ଚ୍ଚିତାଙ୍କୁ ଅଜାଡ଼ି ଦେଇଛନ୍ତି । ରିଲ୍ ଲାଇଫ୍ ସହ ଉଭୟ ଆଗକୁ ସମାଜ ସେବା ଜାରି ରଖିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ପୂର୍ବରୁ ସବ୍ୟସାଚୀ-ଅର୍ଚ୍ଚିତା ଯୋଡ଼ି ଓଲିଉଡ୍ ଚଳଚ୍ଚିତ୍ର ପିଲାଟା ବିଗିଡ଼ି ଗଲା,ସ୍ମାଇଲ୍ ପ୍ଲିଜ୍,ମୁଁ ଏକା ତୁମର,ମୁଁ ସ୍ୱପ୍ନର ସୌଦାଗର, ପାଗଳ କରିଛି ପାଉଁଞ୍ଜି ତୋର, କୋଉ ଦୁନିଆରୁ ଆସିଲ ବନ୍ଧୁ, ତୋର ମୋର ଯୋଡ଼ି ସୁନ୍ଦର, କେବେ ତୁମେ ନାହଁ କେବେ ମୁଁ ନାହିଁ ଚଳଚ୍ଚିତ୍ରରେ ଏକାଠି ନଜର ଆସିବା ବେଶ୍ ରୋମାନ୍ସ କରିଛନ୍ତି । ଏବେ ସବ୍ୟ-ଅର୍ଚ୍ଚିତାଙ୍କ ରିଅଲ୍ ଲାଇଫ କେମିତି କଟୁଛି ତା’ଉପରେ ରହିଛି ଫ୍ୟାନଙ୍କ ନଜର ।