ଦୋଳ ଓ ହୋଲି ପାଳନ ନେଇ ଜାରି ହେଲା କଟକଣା

ଭୁବନେଶ୍ବର ୨୨।୦୩: କରୋନା ପାଇଁ ଚଳିତ ଥର ଫିକା ପଡ଼ିବ ହୋଲି ଓ ଦୋଳ ମେଲଣ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହୋଲି ଓ ଦୋଳ ମେଲଣ ପାଇଁ ରାଜ୍ୟବ୍ୟାପୀ କଟକଣାକୁ ଆହୁରି କଡାକଡି କରାଯାଇଛି । ଏନେଇ ନୂଆ ନିର୍ଦେଶାବଳୀ ଜାରି କରିଛି।

ଗାଇଡ଼ଲାଇନ ଅନୁସାରେ, ଦୋଳ ବିମାନ ଧରିବା ପାଇଁ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିବ । ଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋଳ ବିମାନ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦୋଳ ବିମାନ ଗଲାବେଳେ ​‌କୌଣସି ବାଦ୍ୟଯନ୍ତ୍ର​‌ ବାଜି ପାରିବନାହିଁ ।

ସେହିପରି ମେଲଣ ପଡ଼ିଆରେ ୫୦ରୁ ୬୦ ଜଣ ଲୋକ ରହିବାକୁ ଅନୁମତି ଦେବା ପାଇଁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମେଲଣ ପଡ଼ିଆ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି। ମେଲଣ ପଡ଼ିଆରେ ଯାତ୍ରା, ମୀନା ବଜାର ଆଦି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଦୋଳ ମେଳଣର ଆୟୋଜନ ପାଇଁ ଆୟୋଜକଙ୍କୁ ବିଏମସିର ଅନୁମତି ନେବାକୁ ପଡ଼ିବ। କୋଭିଡ୍ କଟକଣାରେ ମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ପାଳନ ହେବ ଏବଂ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି ।

ଉପରୋକ୍ତ ସର୍ତ୍ତଗୁଡିକ ପାଳନ କରି କାର୍ଯ୍ୟ ପରିଚାଳନା ନିମନ୍ତେ ଆୟୋଜକମାନଙ୍କୁ କର୍ତ୍ତୃପକ୍ଷଙ୍କଠାରୁ ଲିଖିତ ଅନୁମତି ଗ୍ରହଣ କରିବାକୁ ପଡିବ । କରୋନା ଉପଯୁକ୍ତ ଆଚରଣକୁ ପାଳନ କରି ମନ୍ଦିର ଭିତରେ ଧାର୍ମିକ ରୀତିନୀତି କରାଯାଇପାରିବ । ତେବେ ମନ୍ଦିର ଭିତରେ କୌଣସି ଭକ୍ତଙ୍କୁ ଅନୁମତି ନାହିଁ।

ସେହିପରି ହୋଲି ପାଇଁ ମଧ୍ଯ ରାଜ୍ଯ ସରକାର କଟକଣା ଜାରି କରିଛନ୍ତି । ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ହୋଲି ଉତ୍ସବ ରାସ୍ତା ଘାଟ ଆଦି କୌଣସି ସାର୍ବଜନୀନ ସ୍ଥାନରେ ପାଳନ କରାଯାଇପାରିବ ନାହିଁ । କେବଳ ନିଜ ପରିବାର ସଦସ୍ଯଙ୍କ ସହିତ ଘରେ ରହି ଏହି ପର୍ବ ପାଳନ କରିବା ପାଇଁ ଅନୁମତି ଦିଆଯାଇଛି । ତେବେ ଜିଲ୍ଲାପାଳ ତଥା ମୁନିସିପାଲ କମିଶନର ନିଜ ନିଜ ସ୍ତରରେ ସ୍ଥାନୀୟ ପରିସ୍ଥିତିକୁ ଦେଖି ଅଧିକ କଟକଣା ଲଗାଇ ପାରିବେ ବୋଲି ନିର୍ଦେଶ ନାମାରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *