ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ବର ୩।୪: ଓଡ଼ିଶା ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିଜେପି ବିଧାୟକ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀ ଚପଲ ଫିଙ୍ଗିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଶନିବାର ଗୃହ କାର୍ଯ୍ୟ ଆରମ୍ଭରୁ ଖଣି ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ ହୋଇଥିଲା । ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ଯମାନେ ମୁଲତବୀ ପ୍ରସ୍ତାବ ଆଗତ କରି ଆଲୋଚନା ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏଥିପାଇଁ କଂଗ୍ରେସ ସଦସ୍ୟଙ୍କୁ ଅନୁମତି ଦେଇନଥିଲେ । ଫଳରେ କଂଗ୍ରେସ ବିଧାୟକମାନେ ଏହାର ବିରୋଧ କରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ କଂଗ୍ରେସ ବିଧାୟକମାନଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିଥିଲେ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରିନଥିଲା ଏବଂ ବାଚସ୍ପତି ଗୃହକୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

ଏହାପରେ ମଧ୍ୟାହ୍ନରେ ସରକାର ତରବରିଆ ଭାବେ ସଂଶୋଧିତ ଲୋକାୟୁକ୍ତ ବିଲ୍ ୨୦୨୧କୁ ଗୃହୀତ କରାଇନେଇଥିଲେ । ଏହାର ପ୍ରତିବାଦରେ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଗୃହ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିବା ସହ ପୋଡିୟମ୍ ଉପରକୁ ଚଢିବାକୁ ଚେଷ୍ଟା କରିଥିଲେ । ତେବେ ଦୁଇ ବରିଷ୍ଠ ବିଜେପି ବିଧାୟକ ବାଚସ୍ପତିଙ୍କ ଆସନକୁ ଲକ୍ଷ୍ୟ କରି ଚପଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।

ଗୃହରେ ବିରୋଧୀଙ୍କ ହଙ୍ଗାମା ଓ ହୋହଲ୍ଲା ସାଧାରଣ କଥା ହୋଇଥିବା ବେଳେ ଆଉ ପାଦେ ଟପିଯାଇ ଏପରି ଆଚରଣ ଦେଖାଇଛନ୍ତି ବିଜେପି ବିଧାୟକ । ଏହାକୁ ନେଇ ଶାସକ ଦଳ ବିଧାୟକ ଏବଂ ବିରୋଧୀ ବିଜେପି ସଦସ୍ୟଙ୍କ ମଧ୍ୟରେ କଥା କଟାକଟି ଏବଂ ଆକ୍ଷେପ ପ୍ରତି ଆକ୍ଷେପରୁ ଗୃହ କମ୍ପିଛି ।

ବିଷ୍ଣୁ ସେଠୀ କହିଛନ୍ତି ମୁଁ ନୁହେଁ ଅନ୍ୟ କେହି ନୂଆ ବିଧାୟକ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଛନ୍ତି । ବିଧାନସଭାରେ ବିଜେପି ବିଧାୟକଙ୍କ ଏଭଳି ଅଶୋଭନୀୟ ଆଚରଣ ପରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବି ରଖିଛନ୍ତି ।

Leave a Reply

Your email address will not be published. Required fields are marked *