ଦେଶରେ ଅଣାୟତ୍ତ ହେଲା କରୋନା, ପ୍ରଥମ କରି ଦିନକରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୫।୪: ଭାରତରେ ପ୍ରଥମ ଥର ପାଇଁ କରୋନା ଦୈନିକ ସଂକ୍ରମଣ ୧ ଲକ୍ଷ ଅତିକ୍ରମ କରିଛି। ରବିବାର ରାତି ୧୨ଟା ସୁଦ୍ଧା ଗୋଟିଏ ଦିନର ସଂକ୍ରମଣ ସର୍ବାଧିକ ୧,୦୩,୭୬୪ ରେକର୍ଡ କରାଯାଇଛି। ପ୍ରଥମ ଲହରରେ ମଧ୍ଯ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ଯା ୯୭,୮୯୪ । ହେଲେ ଆଜି ଏହା ସର୍ବକାଳୀନ ରେକର୍ଡ ବ୍ରେକ୍ କରିଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୮୭,୮୯୧ରେ ପହଞ୍ଚଛି ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୂର୍ବାପେକ୍ଷା ଦ୍ରୁତ ବେଗରେ ମାଡ଼ିଚାଲିଛି। ୮ଟି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରେ। ଗତ ୨୪ ଘଣ୍ଟାରେ ଦେଶରେ ୫୧୩ ଜଣଙ୍କ ଜୀବନ ଯାଇଛି। ନୂଆ ସଂକ୍ରମଣର ୮୦.୯୬ ପ୍ରତିଶତ ୮ଟି ରାଜ୍ୟରେ ଦେଖିବାକୁ ମିଳିଛି। ସେହି ରାଜ୍ୟଗୁଡ଼ିକ ହେଲେ ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଗୁଜରାଟ। ଦେଶରେ ମୋଟ ସକ୍ରିୟ ମାମଲା ସଂଖ୍ୟା ୭,୪୨,୮୧୩ରେ ପହଞ୍ଚିଛି। କେବଳ ମହାରାଷ୍ଟ୍ରରେ ୫୮.୧୯ ପ୍ରତିଶତ ମାମଲା ରହିଛି। ସେଠାରେ ଦିନକରେ ୫୭,୦୭୪ ସଂକ୍ରମିତ ହୋଇଛନ୍ତି। କରୋନା ମୃତ୍ୟୁରେ ମଧ୍ୟ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ଦିନକରେ ୨୭୭ ଜଣଙ୍କ ମୃତ୍ୟୁ ଘଟିଛି।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ନାଇଟ କର୍ଫୁ ଲାଗୁ କରିବା ସହ ସପ୍ତାହାନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ସୋମବାରଠାରୁ ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ଏଥିସହିତ ଶୁକ୍ରବାର ରାତି ୮ରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟ ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ରବିବାର ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏପ୍ରିଲ ୩୦ ଯାଏ ଗାଇଡ୍‌ଲାଇନ କଡ଼ାକଡ଼ି ଲାଗୁ ହେବ। ନାଇଟ କର୍ଫ୍ୟୁ ବେଳେ କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଲୋକଙ୍କୁ ଯାତାୟାତ ଅନୁମତି ମିଳିବ। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କେବଳ ଖାଦ୍ୟ ପାର୍ସଲ ବିକ୍ରି କରିପାରିବେ। ସେଠାରେ ଖାଇବା ପାଇଁ ଅନୁମତି ମିଳିବ ନାହିଁ। ଥିଏଟର, ପାର୍କ ଆଦି ବନ୍ଦ ରହିବ। ଏହା ସର୍ବସମ୍ମତ ନିଷ୍ପତ୍ତି। ଗାଇଡ୍‌ଲାଇନକୁ ସମସ୍ତେ ପାଳନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ ନଓ୍ବାବ ମଲିକ କହିଛନ୍ତି। ଦେଶରେ ମୋଟ ନୂଆ ସଂକ୍ରମଣର ଅର୍ଦ୍ଧାଧିକ କେବଳ ମହାରାଷ୍ଟ୍ରରେ। ଶନିବାର ମହାରାଷ୍ଟ୍ରରୁ ୫୭,୦୭୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ୨୭୭ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *