ମାଓବାଦୀମାନେ ଜାରି କଲେ ପଣବନ୍ଦୀ ଥିବା କୋବ୍ରା ଯବାନଙ୍କ ଫଟୋ ଚିତ୍ର

ରାୟପୁର ୦୭।୦୪ : ( ସଂକେତ ଟିଭି) ମାଓବାଦୀଙ୍କ କବଜାରେ ଥିବା କୋବ୍ରା ୟୁନିଟର ଜବାନ ରାକେଶ୍ୱର ସିଂ ମାନହସଙ୍କ ଫଟୋ ଆଜି ଜାରି କରାଯାଇଛି । ଦାଣ୍ଡକାରଣିଆ ସ୍ପେଶାଲ ଜୋନାଲ କମିଟି (ଡିଏସଜେସି) ମାଓବାଦୀ ସଂଗଠନ ପକ୍ଷରୁ ଏହି ଫଟୋକୁ ପ୍ରେସକୁ ଦିଆଯାଇଛି । ରାକେଶ୍ୱର ସିଂ ମାନହସ ଏବେ ତାଙ୍କ କବଜାରେ ଅଛନ୍ତି ବୋଲି ମାଓବାଦୀମାନେ ସ୍ବଷ୍ଟ କରିଛନ୍ତି ।

ଏହା ସହିତ ସେମାନେ ସରକାରଙ୍କ ଦ୍ବାରା ନିଯୁକ୍ତ ଏକ ମଧ୍ଯସ୍ଥି ଜରିଆରେ ଜବାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସେମାନେ କହିଛନ୍ତି ।

ମାଓବାଦୀଙ୍କ ଦ୍ବାରା ପ୍ରକାଶ ପାଇଥିବା ଫଟୋରେ କୋବ୍ରା ଜବାନ୍ ରାକେଶ୍ୱର ସିଂ ମାନହସ୍ ଏକ ଅସ୍ଥାୟୀ ଆଶ୍ରୟସ୍ଥଳ ତଳେ ଏକ ପ୍ଲାଷ୍ଟିକ୍ ଖଟ ଉପରେ ବସିଥିବାର ନଜର ଆସିଛନ୍ତି।

ସୁକମା-ବିଜାପୁର ସୀମାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ପରେ ମାନହସ ଏପ୍ରିଲ 3 ରେ ନିଖୋଜ ହୋଇଯାଇଥିଲେ। ଆକ୍ରମଣ ପରେ 22 ଜଣ ସୁରକ୍ଷା କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସୋମବାର ସ୍ଥାନୀୟ ସାମ୍ବାଦିକମାନଙ୍କୁ ଫୋନ କରି ମାଓବାଦୀମାନେ ସ୍ବଷ୍ଟ ସୂଚନା ଦେଇଥିଲେ ଯେ ନିଖୋଜ ଯବାନ ତାଙ୍କ ହେପାଜତରେ ରହିଛନ୍ତି।

“ସରକାର ନିଶ୍ଚିତ ଭାବରେ ମଧ୍ଯସ୍ଥିଙ୍କ ନାମ ଘୋଷଣା କରିବେ। ଏହା ପରେ, ଆମେ ଆମ ହେପାଜତରେ ଥିବା ପୋଲିସକୁ ମୁକ୍ତ କରିବୁ | ସେପର୍ଯ୍ୟନ୍ତ ସେ ଆମ ପାଖରେ ଯବାନ ଜଣକ ସୁରକ୍ଷିତ ରହିବେ ବୋଲି ଡିଏସଜେସି ମୁଖପାତ୍ର ବିକଳ୍ପ କହିଛନ୍ତି।

ସେପଟେ ମଙ୍ଗଳବାର ଦିନ ବସ୍ତର ଆଇଜିଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ ମନହସଙ୍କୁ ନିଖୋଜ ବୋଲି ବର୍ଣ୍ଣନା କରାଯାଇଛି। ତେବେ ମାଓବାଦୀମାନେ ଦେଇଥିବା ପ୍ରେସ ନୋଟର ସତ୍ୟତା ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *