ମାଓବାଦୀଙ୍କଠାରୁ ମୁକୁଳିଲେ ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ

ରାୟପୁର,୮/୪: ( ସଂକେତ୍ ଟିଭି) ଅପହୃତ ଯବାନ ରାକେଶ୍ୱର ସିଂହ ମନହାସଙ୍କୁ ମୁକ୍ତ କଲେ ମାଓବାଦୀ । ଆଜି ଅପରାହ୍ଣରେ ଅପହୃତ ଯବାନ ରାକେଶ୍ବର ସିଂହ ମାନ୍‌ହାସଙ୍କୁ ମାଓବାଦୀମାନେ ଛାଡ଼ି ଦେଇଛନ୍ତି। ଅପହରଣର ୬ଦିନ ପରେ ରାକେଶ୍ବରଙ୍କୁ ମାଓବାଦୀ ବିଜାପୁରର ତାରେମ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି । ସ୍ଥାନୀୟ ଆଦିବାସୀଙ୍କ ହାତରେ ଅପହୃତ ଯବାନ ରାକେଶ୍ୱରଙ୍କୁ ମାଓବାଦୀ ମାନେ ଛାଡ଼ିଦେଇଛନ୍ତି ।

ସେପଟେ ମନହାସ୍‌ଙ୍କୁ ମୁକ୍ତହେବା ଖବର ଶୁଣି ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ତାଙ୍କ ପତ୍ନୀ ମୀନୁ ମନହାସ୍‌ କହିଲେ ଆମେ ଧୈର୍ଯ୍ୟର ସହ ତାଙ୍କ ଫେରିବାକୁ ଅପେକ୍ଷା କରିଥିଲୁ । ସ୍ୱାମୀଙ୍କର ମାଓଙ୍କ କବଳରୁ ଫେରିବା ଜୀବନର ସବୁଠୁ ଖୁସି ଖବର ବୋଲି ମୀନୁ କହିଛନ୍ତି। ଏହାସହ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାକେଶ୍ୱରଙ୍କର ପତ୍ନୀ ମୀନୁ ମନହାସ୍।

ଯବାନ ରାକେଶ୍ୱର ସିଂହ ମନହାସ ବାସାଗୁଡ଼ାରେ ପହଞ୍ଚିଛନ୍ତି ଏବଂ ମେଡିକାଲ ଟେଷ୍ଟ ପରେ ସୁସ୍ଥ ଥିବା ବିଜାପୁର ଏସ୍‌ପି ସୂଚନା ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ମାଲକାନଗିରି ସୀମାନ୍ତ ବିଜାପୁରରେ ଏପ୍ରିଲ ୩ତାରିଖରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ଏଥିସହ ୩୧ ଯବାନ ଆହତ ହୋଇଥିଲେ । ଛତିଶଗଡ଼ ବିଜାପୁରରେ ମାଓବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବନିମୟ ବେଳେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇ ବନ୍ଧକ ରଖିଥିଲେ ।

ତେବେ ଆଜି ମାଓବାଦୀମାନେ ରାକେଶ୍ୱରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ହାତରେ ଛାଡ଼ିଥିବା ସୂଚନା ମିଳିଛି । ତାରେମ୍‌ କ୍ୟାମ୍ପରେ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *