ସ୍ବଷ୍ଟ ଦିବାଲୋକରେ ଯୁବକଙ୍କୁ ବନ୍ଧୁକ ଓ ମାରଣାସ୍ତ୍ରରେ ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ

ବାଲେଶ୍ବର,୮/୪: ( ସଂକେତ୍ ଟିଭି) ବାଲେଶ୍ବର ସହରର ମାର୍ଜାପୋଖରୀ ଅଂଚଳରେ ସ୍ବଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଟାଉନଥାନା ପୋଲିସ ଗିରଫ କରିଛି ।

ଗିରଫ ଦୁଇ ଜଣ ହେଲେ ବାଲେଶ୍ବର ସହରର ଗୋପାଳଗାଁ ଅଂଚଳର ଚନ୍ଦନ ଜେନା (22) ଓ ମାଣିଖମ୍ବ ଅଂଚଳର ପ୍ରଦୀପ ମହାପାତ୍ର (25)। ଏମାନଙ୍କଠାରୁ ଦୁଇଟି ବନ୍ଧୁକ, 26ଟି ଗୁଳି, ଦୁଇଟି ବୋମା, ଗୋଟିଏ ଭୁଜାଲି, ଗୋଟିଏ କଟୁରୀ ଏବଂ ନଗଦ 16ହଜାର ଟଙ୍କା ଜବତ କରାଯାଇଛି ।

ସୂଚନା ଅନୁସାରେ, କାଉନସିଲର ପଦ୍ମଲୋଚନ ଲେଙ୍କାଙ୍କ ପୁଅ ସରୋଜ କୁମାର ଲେଙ୍କା (ପପୁ) ଗତକାଲି ଦିନ ପ୍ରାୟ 7.30 ସମୟରେ ମିର୍ଜା ପୋଖରୀକୁ ମାଛ କିଣିବା ପାଇଁ ଯାଇଥିଲେ । ଏହି ସମୟରେ ଚନ୍ଦନ ଜେନା ହଠାତ୍ ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ। ଏହାକୁ ପପୁ ବିରୋଧ କରିବାରୁ ଚନ୍ଦନ ତାଙ୍କ ସହଯୋଗୀ ପ୍ରଦୀପ ମହାପାତ୍ରଙ୍କୁ ଡାକିଥିଲେ । ପ୍ରଦୀପ ସଙ୍ଗେ ସଙ୍ଗେ ଦୁଇଟି ବନ୍ଧୁକ ନେଇ ସେଠାରେ ପହଞ୍ଚିଥିଲେ । ଗୋଟିଏ ବନ୍ଧୁକ ସେ ନିଜେ ଧରି ଅନ୍ଯଟିକୁ ଚନ୍ଦନ ଜେନାଙ୍କୁ ଦେଇଥିଲେ । ଚନ୍ଦନ ପପୁଙ୍କ ଛାତିରେ ବନ୍ଧୁକ ଲଗାଇ ଜୀବନରୁ ମାରିବା ପାଇଁ ଧମକ ଦେବା ସହିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପପୁ ଆହତ ହୋଇଥିଲେ । ଏହି ସମୟରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଏକତ୍ରିତ ହେବା ଦେଖି ଚନ୍ଦନ ଏବଂ ପ୍ରଦୀପ ଗୋଟିଏ ନୀଳ ରଙ୍ଗର କାରରେ ସେଠାରୁ ପଳାଇ ଯାଇଥିଲେ ।

ଟାଉନଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢାଉ ଆରମ୍ଭ କରିଥିଲା । ଆଜି ଉଭୟଙ୍କୁ ଭୀମପୁରା ଛକଠାରେ ଥିବା ଗୋଟିଏ ଘରୁ ଗିରଫ କରିଥିଲେ । ତେବେ ସାମାନ୍ଯ ବଚସାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ପପୁକୁ ଆକ୍ରମଣ କରିଥିବା ପୋଲିସ କହିଛି ।

Leave a Reply

Your email address will not be published. Required fields are marked *