CulturalFeaturedLatest

ପୁରୀ ବ୍ଯତିତ ଅନ୍ଯ ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ

ଭୁବନେଶ୍ୱର ୧୦।୦୬: (ସଂକେତ୍ ଟିଭି) ରଥଯାତ୍ରା ନେଇ ରାଜ୍ଯ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ରାଜ୍ଯରେ କେବଳ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ । ବାକି ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୁରୀରେ ମଧ୍ଯ ଭକ୍ତ ଶୁନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।

ସେହିପରି ଏସ୍ଆର୍‌ସିଙ୍କ ପ୍ରେସ୍‌ମିଟ୍‌ ଅନୁଯାୟୀ, ପୁରା ଛଡ଼ା ଓଡିଶା ଅନ୍ୟ କୌଣସି ସ୍ଥାନରେ ରଥ ଟଣା ହେବ ନାହିଁ । ଅନ୍ୟ ସ୍ଥାନରେ କେବଳ ମନ୍ଦିର ପରିସରରେ ନୀତିକାନ୍ତି ଅନୁଷ୍ଠିତ ହେବ। ପୁରୀରେ କୋଭିଡ଼ ଗାଇଡ଼ଲାଇନ୍‌ ଅନୁସାରେ ରଥ ଯାତ୍ରା ହେବ । କେବଳ ସେବାୟତ ଓ ସୁରକ୍ଷାକର୍ମାମାନେ ରଥ ଟାଣିବେ । ୪୮ ଘଣ୍ଟା ପୂର୍ବରୁ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ୍‌ ଆସିଲେ, ତେବେ ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ଦିଆଯିବନାହିଁ । ଯେଉଁ ସେବାୟତ ରଥଯାତ୍ରାରେ ସାମିଲ ହେବେ ଟିକା ନେଇଥିବା ଜରୁରୀ। ସେମାନେ ୨ ଡୋଜ୍ ଟିକା ନେଇଥିବେ କିମ୍ବା ସେମାନଙ୍କର RTPCR ଟେଷ୍ଟ୍‌ ରିପୋର୍ଟ ନେଗେଟିଭ ହୋଇଥିବେ । ରଥଯାତ୍ରା ସମୟରେ ପୁରୀରେ ଲାଗିବ କର୍ଫ୍ୟୁ, ବାହାର ଲୋକଙ୍କୁ ପୁରୀ ମନା । ପୁରୀକୁ ଟ୍ରେନ୍‌ ସମେତ ଅନ୍ୟ ଯାନକୁ ପ୍ରବେଶ ମନା କରାଯାଇଛି ।

ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କେବଳ ଡିଡି ଚ୍ୟାନେଲ୍‌କୁ ସିଧା ପ୍ରସାରଣ ପାଇଁ ଅନୁମତି ଦିଆଯିବ । ଅନ୍ୟ କୌଣସି ଚ୍ୟାନେଲ୍‌କୁ ସିଧାପ୍ରସାରଣ ପାଇଁ ଅନୁମତି ଦିଆଯିବନାହିଁ । ଦୂରଦର୍ଶନର ଫିଡ୍‌କୁ ନେଇ ଅନ୍ୟ ଟିଭି ଚ୍ୟାନେଲ୍‌ ପ୍ରସାରଣ କରିପାରିବେ ।