CulturalFeaturedLatest

କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ଲାଗିଲା କଟକଣା

ଭୂବନେଶ୍ବର ୧୩।୭: (ସଂକେତ୍ ଟିଭି) ଚଳିତ ବର୍ଷ ମଧ୍ଯ ବୋଲବୋମ୍ ଉପରେ କଟକଣା ଲାଗିଛି । କାଉଡ଼ିଆଙ୍କୁ ମନ୍ଦିର ମନା । ଶ୍ରାବଣୀ ପାଣି ଢଳା ଉପରେ ରୋକ୍ । ସଂକ୍ରମଣ ଭୟ ଭିତରେ କାଉଡ଼ିଆଙ୍କ ଭିଡ଼ ଆଡ଼େଇବାକୁ ରାଜ୍ୟ ସରକାର ବଡ଼ ଏହି ଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ । ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ । ରାଜ୍ୟରେ କରୋନା ଲକ ଡାଉନ ଜାରି ରହିଛି । ଏହି ସମୟରେ ସାମାଜିକ , ଧାର୍ମିକ , ରାଜନୈତିକ ସମାବେଶ କିମ୍ବା ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣମାସରେ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର ।

ସେପଟେ ଶ୍ରାବଣ ମାସରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ଦେଶ ସାରା ରୋକ୍ ଲଗାଇବାକୁ ଆଇଏମଏର ସୁପାରିଶ କରିଛି । କରୋନାର ସଂକ୍ରମଣ ରୋକିବାକୁ ହେଲେ କାଉଡିଆଙ୍କ ଜଳଲାଗି ଉପରେ ରୋକ ଲଗାଇବାକୁ ପଡିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସତର୍କ କରାଇ ଦେଇଛି ଭାରତୀୟ ମେଡିକାଲ ସଂଘ- ଆଇଏମଏ ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ସଂଘ କହିଛି ଯେ, ଦେଶରେ କରୋନାର ତୃତୀୟ ଲହର ଆଶଙ୍କା ଥିବାରୁ ଭିଡକୁ ନିୟନ୍ତ୍ରଣ କରିବା ଜରୁରୀ ।

ଦେଶରେ କରୋନାର ପ୍ରଥମ ଲହର ପରେ ସତର୍କତା ଗ୍ରହଣ କରା ନଯିବାରୁ ଦ୍ୱିତୀୟ ଲହର ଅଧିକ ଭୟାବହ ହୋଇପଡିଲା । ଏବେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି କହିଛି ଆଇଏମଏ ।

ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ । ଦିନଦିନ ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି ।

ଦେଶର ବିଭିନ୍ନ ଭାଗରୁ ଏଭଳି ଚିତ୍ର ସାମ୍ନାକୁ ଆସୁଥିବାବେଳେ ଦିଲ୍ଲୀ ଓ ଉତ୍ତରାଖଣ୍ଡରେ କାଉଡିଆଙ୍କ ଲମ୍ବା ଧାଡି ରାସ୍ତାରେ ଦେଖିବାକୁ ମିଳେ ।

ତେଣୁ ଭାରତୀୟ ଡାକ୍ତର ସଂଘର ଏହି ଚେତାବନୀ ସାରାଦେଶରେ ଶିବ ଭକ୍ତଙ୍କ ଚିନ୍ତା ବଢାଇ ଦେଇଛି । ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ସମୟରେ ରାଜ୍ୟ ସରକାରଗୁଡିକ କାଉଡିଆଙ୍କ ଯାତ୍ରା ଉପରେ କଟକଣା ଲଗାଇଥିଲେ ।