EducationFeaturedLatest

ଟଙ୍କା ଦିଅ ସାର୍ଟିଫିକେଟ ନିଅ, ପାଠ ପଢ କି ନ ପଢ ଟଙ୍କା ଦେଲେ ମିଳୁଛି ଆଇଟିଆଇ ସାର୍ଟିଫିକେଟ୍

ବାଲିଆପାଳ ୧୮/୦୭: ( ଉମାକାନ୍ତ ନାୟକ ) ସାର୍ଟିଫିକେଟ ମାଗିଲେ, ମାଗୁଛନ୍ତି ଟଙ୍କା । ଟଙ୍କା ଦିଅ ସାର୍ଟିଫିକେଟ ନିଅ । ତା ନହେଲେ ସାର୍ଟିଫିକେଟ ନାହିଁ। ପଢ଼ ବା ନପଢ଼ ସେଥିରେ କିଛି ମତଲବ ନାହିଁ। ଏଭଳି ଖୋଲା ଖୋଲି ଭାବରେ ସାର୍ଟିଫିକେଟ ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଆସିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ନିଖିରେଶ୍ୱର ଶିଳ୍ପତାଲିମ କେନ୍ଦ୍ର ନାମରେ ।

ଅଭିଯୋଗ ଅନୁଯାୟୀ ୨୦୧୮ ମସିହାରେ ନିଖିରେଶ୍ୱର ଶିଳ୍ପତାଲିମ କେନ୍ଦ୍ରରେ ବିଷ୍ଣୁପଦ ଦାସ ମହାପାତ୍ର ଆଡମିଶନ ହୋଇଥିଲେ। ଆଇଟିଆଇ କର୍ତ୍ତୃପକ୍ଷ ତାଙ୍କ ନିକଟରୁ ମ୍ୟାଟ୍ରିକ ସାର୍ଟିଫିକେଟ ରଖିବା ସହିତ ଆଡମିଶନ ବାବଦକୁ କିଛି ଟଙ୍କା ମଧ୍ୟ ନେଇଥିଲେ।

ତେବେ କୋଭିଡ କଟକଣା ପାଇଁ କୌଣସି କ୍ଳାସ ହୋଇନଥିଲା ବରଂ କ୍ଳାସ ହେଲେ ଖବର ଦିଆଯିବ ବୋଲି କୁହାଯାଇଥିଲା । ତେବେ ଏକ ଘରୋଇ କମ୍ପାନୀ ରେ ଚାକିରୀ କରିବା ପାଇଁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ବିଷ୍ଣୁପଦ ସାର୍ଟିଫିକେଟ ମାଗିଥିଲେ । ତେବେ ସାର୍ଟିଫିକେଟ ଦେବାତ ଦୂରର କଥା ବରଂ ଆଜିକାଲି କହି ଭଣ୍ଡାଇବା ସହିତ ୨୦ ହଜାର ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି।

ବିଷ୍ଣୁପଦ ଏହାର ପ୍ରତିବାଦ କରିବାରୁ ଆଇଟିଆଇ କର୍ତ୍ତୃପକ୍ଷ ଗାଳିଗୁଳଜ କରିବା ସହିତ ତାଙ୍କ ମୋବାଇଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହା ସହିତ ତାଙ୍କୁ କଲେଜ ଭିତରେ ତାଲା ପକାଇଦେବାକୁ ମଧ୍ୟ ପଛାଇ ନଥିଲେ ବୋଲି ଅଭିଯୋଗ ଆଣିଛନ୍ତି ।ତେବେ କୌଶଳ କ୍ରମେ ବିଷ୍ଣୁପଦ ଖସିଯାଇ ,ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ଅଭିଯୋଗର ସତ୍ୟତା ବାବଦରେ, ନିଖିରେଶ୍ୱର ଶିଳ୍ପତାଲିମ କେନ୍ଦ୍ରରେ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ଏହି ମାମଲା ବହୁ କଷ୍ଟରେ ଥାନାରେ ସମାଧାନ ହୋଇଯାଇଛି ବୋଲି କହିବା ସହିତ ସଂସ୍ଥାର ସେକ୍ରେଟାରୀଙ୍କୁ ପରମେଶ୍ୱର ବାରିକ ଙ୍କୁ ଫୋନ କରି ତରବରିଆ ତାଲା ପକାଇ ସେଠାରୁ ଚମ୍ପଟ ମାରିଥିଲେ।