FeaturedLatest

ସୋର ଥାନା ଭିତରେ ଓକିଲଙ୍କୁ ମାଡ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଭିଡିଓ

ସୋର୦୪।୦୮ : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ସୋର ଥାନା ଭିତରେ ଓକିଲଙ୍କୁ ପୋଲିସ ମାଡ ମାରିବା ଘଟଣାର ସିସିଟିଭି ଭିଡ଼ିଓ ସାମ୍ନାକୁ ଆସିଛି । ଭିଡିଓରେ ପୋଲିସ ଅଧିକାରୀଙ୍କ ଚାପୁଡା ମାଡରେ ଓକିଲ ଜଣକ ଚେତାଶୂନ୍ଯ ହୋଇଯାଇଥିବା ଦେଖିବାକୁ ମିଳୁଛି । ଓକିଲ ଜଣକୁ ପାଣି ଛାଟି ପୁଣି ମାଡ ମାରିବା ସହ ୧୨ ଘଣ୍ଟା ଧରି ଥାନା ଭିତରେ ଅଟକ ରଖିବା ନେଇ ପୀଡିତ ଓକିଲ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଗତ ଜୁଲାଇ ମାସ ୪ ତାରିଖ ରାତିରେ ସୋର ପୁଲିସ ଓ ଭୁବନେଶ୍ୱର ନୟାପଲ୍ଲି ପୁଲିସ ମିଳିତ ଭାବେ ଓକିଲ ଧୀରେନ୍ଦ୍ର ଦାସଙ୍କୁ କଲେଜ ଛକ ଭଡା ଘରୁ ଉଠାଇ ଆଣିଥିଲେ । ଏହାପରେ ଥାନାରେ ପୋଲିସ ଏବଂ ଓକିଲଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଜଣେ ପୋଲିସ କର୍ମଚାରୀ ଶ୍ରୀଦାସଙ୍କୁ ଗୋଟିଏ ଚାପୁଡା ମାରିଥିଲେ । ଏଥିରେ ଶ୍ରୀଦାସ ଚେତାଶୁନ୍ୟ ହୋଇଯିବା ପରେ ଅନ୍ଯ ପୋଲିସ କର୍ମଚାରୀମାନେ ତାଙ୍କୁ ପାଣି ଛାଟି ଚେତାକୁ ଆଣୁଥିବା ଦେଖିବାକୁ ମିଳୁଛି । ତେବେ ଶ୍ରୀଦାସ ଅଭିଯୋଗ କରିଛନ୍ତି ଯେ ସେ ଚେତାରେ ଆସିବା ପରେ ତାଙ୍କୁ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖାଯିବା ସହିତ ମାଡ ମରାଯାଇଥିଲା ।

ସୋର ଓକିଲ ସଂଘ ଏହି ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରି ଏସ୍.ପି. ସୁଧାଂଶୁ ଶେଖର ମିଶ୍ରଙ୍କୁ ଭେଟି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ । ପ୍ରଶାସନ ସୋର ଥାନା ଆଇ.ଆଇ.ସି. ମଧୁମିତା ମହାନ୍ତି ଓ ଏସ.ଆଇ ଚନ୍ଦ୍ରଶେଖର ମହାନ୍ତି ଅନ୍ୟତ୍ର ବଦଳି କରିଥିବା ଜଣାପଡିଛି । ସେପଟେ ଓକିଲ ସଙ୍ଘର ଦାବି ମୁତାବକ ଓକିଲ ଶ୍ରୀ ଦାସଙ୍କୁ ମାଡ ମାରିଥିବା ସୋର ଥାନା ଏସ୍.ଆଇ. ଚନ୍ଦ୍ରଶେଖର ମହାନ୍ତି ଓ ନୟାପଲ୍ଲି ଥାନାର ପୋଲିସର ବିନୋଦ କିଶୋର ବାର୍ଲାଙ୍କ ନିଲମ୍ବନ ଏବଂ ଭୂବନେଶ୍ବରରୁ ଆସି ଗାଲିଗୁଲଜ କରିଥିବା ଜଣେ ମହିଳାଙ୍କୁ ଗିରଫ କରିବାକୁ ସଂଘ ଦାବି ରଖିଛି । ମାତ୍ର ପୁରଣ ନହେବାରୁ ଓକିଲ ସଂଘର ଜିଲ୍ଲାବ୍ଯାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ୯ ଦିନରେ ପହଞ୍ଚିଛି ।