ବ୍ୟାପକ ସାର କଳାବଜାରୀ, ୨ବ୍ୟବସାୟୀଙ୍କଠାରୁ ୧୧୦ ବସ୍ତା ୟୁରିଆ ସାର ଜବତ

ବରଗଡ ୦୯/୦୮: (ସଂକେତ ଟିଭି) ରାଜ୍ୟର ବିଭିନ୍ନ ଅଂଚଳରେ ସାର କଳାବଜାରୀ ଚାଲିଥିବାବେଳେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକରେ ଦୁଇ ଜଣ ବ୍ୟବସାୟୀଙ୍କଠାରୁ ୧୧୦ ବସ୍ତା ୟୁରିଆ ସାର ଜବତ କରାଯାଇଛି ।

ସୂଚନା ଅନୁସାରେ, ଛତିଶଗଡ ସୀମାନ୍ତ ଉପଖଣ୍ଡ ଝାରବନ୍ଧ ଥାନା ଅଧିନସ୍ଥ ନିତ୍ୟାନନ୍ଦପୁର ଗ୍ରାମରେ ବ୍ୟାପକ ମାତ୍ରାରେ ୟୁରିଆ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଖବରପାଇ କୃଷି ବିଭାଗ ଦୁଇ ଜଣ ବ୍ୟବସାୟୀଙ୍କଠାରୁ ୧୧୦ ବସ୍ତା ୟୁରିଆ ସାର ଜବତ କରିଛି । ନିତ୍ୟାନନ୍ଦପୁର ଗ୍ରାମର ଡିଙ୍ଗରଲାଲ ସାହୁଠାରୁ ୫୨ ବସ୍ତା ଓ ତାରାବାଈ ସାହୁ, ସ୍ବାମୀ ରାଜେନ୍ଦ୍ର ସାହୁଙ୍କଠାରୁ ୫୮ବସ୍ତା ୟୁରିଆ ସାରକୁ ଜବତ କରାଯାଇଛି ।

ସେମାନେ ବେଆଇନ ଭାବେ ୟୁରିଆ ସାର ଗଚ୍ଛିତ ରଖି ବସ୍ତା ପ୍ରତି ୪୭୦ ଟଙ୍କାରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଥିଲା । ଚାଷୀମାନଙ୍କ ଅଭିଯୋଗକୁ ଭିତ୍ତିକରି କୃଷି ଅଧିକାରୀମାନେ ପୋଲିସ ସହିତ ଘଟଣାସ୍ଥଳକୁ ପହଞ୍ଚି ଚଢାଉ କରିଥିଲେ।