ବେଲ୍ ବଟମ୍ ଫିଲ୍ମ ସମୀକ୍ଷା: ଅକ୍ଷୟ କୁମାର ଦେଖାଇଲେ ଅଭିନୟର ଯାଦୁ, ଚମକିଲେ ଲାରା-ଆଦିଲ୍

ବେଲ୍ ବଟମ୍ – 4.5/5 ଷ୍ଟାର

ଭାରତରୁ ସାତ ବର୍ଷ ମଧ୍ୟରେ ପାଞ୍ଚଟି ବିମାନ ଅପହରଣ ହୋଇଛି । ପ୍ରତ୍ୟେକ ଥର ଅପହୃତ ବିମାନ ପଡୋଶୀ ଶତ୍ରୁ ଦେଶରେ ଅବତରଣ କରିଥାଏ । ଏବଂ ନେତାମାନେ ଆତଙ୍କବାଦୀଙ୍କ ସହ ସମାଧାନ ପାଇଁ ବୁଝାମଣା କରନ୍ତି । ତେବେ ଇନ୍ଦିରାଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କେମିତି ଇଣ୍ଟେଲିଜେନ୍ସ ଏଜେନ୍ସି ର ସହାୟତାରେ କେମିତି ପାକିସ୍ଥାନର ଲାହୋରରୁ ଅପହୃତ ବିମାନକୁ ଉଦ୍ଧାର କରାଯାଇଥିଲା ତାକୁ ନେଇ ଆଧିରିତ ଫିଲ୍ମ ବେଲ୍ ବଟମ୍ ।

କରୋନା କାଳରେ ଯେତେବେଳେ ଲକ୍ ଡାଉନ -ସଟଡାଉନ ଚାଲିଛି ସେହି ସମୟରେ ଅକ୍ଷୟ କୁମାର ଅଭିନୀତ ବେଲ ବଟମ୍ ପ୍ରେକ୍ଷାଳୟକୁ ଆସିବାକୁ ସାହସ ଦେଖାଇଛି । ଯଦିଓ ସିନେମାହଲଗୁଡ଼ିକରେ କେବଳ 50 ପ୍ରତିଶତ ଦର୍ଶକଙ୍କ ସହିତ ଖୋଲିବା ପାଇଁ ଅନୁମତି ରହିଛି, ତଥାପି ଚଳଚ୍ଚିତ୍ରଟି ସିନେ ପ୍ରେମୀଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଛି ।

ବେଲବଟମ୍ ଫିଲ୍ମରେ 200 ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନକୁ ଅପହରଣ କରାଯାଇ ଲାହୋରକୁ ନିଆଯାଇଥାଏ । ଅପହୃତ ବିମାନଟି ଶତୃ ରାଷ୍ଟ୍ରରେ ଥିବାରୁ ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଗୋଟିଏ ରାସ୍ତା ଥିଲା ଶତୃଙ୍କ ସହିତ ଆଲୋଚନା କରି ବିମାନଟିକୁ ମୁକ୍ତ କରିବା । ଏଭଳି ପରିସ୍ଥିତିରେ ର ମୁଖ୍ୟ (ଆଦିଲ ହୁସେନ୍) ଇନ୍ଦିରାଙ୍କୁ କହିଛନ୍ତି ଯେ ଏଥର ଅପେକ୍ଷା କର, ଆମେ ଏକ ନୂଆ ବାଜି ଖେଳିବୁ।

ଏହି କାହାଣୀରେ ଟ୍ବିଷ୍ଟ ସେତେବେଳେ ଆସିଛି, ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (ଲାରା ଦତ୍ତା) ପାକିସ୍ତାନୀ ରାଷ୍ଟ୍ରପତି ଜିଆ-ଉଲ-ହକଙ୍କୁ କହିଛନ୍ତି ଯେ ଆପଣମାନେ ଆତଙ୍କବାଦୀ-ଅପହରଣକାରୀଙ୍କ ସହ କଥା ହୁଅନ୍ତୁ ନାହିଁ , କଣ କରିବାର ଅଛି ଆମେ ନିଜେ ଦେଖି ନେବୁ । ଏହା ଶୁଣି ଗତ ଚାରିଟି ଅପହରଣ ଘଟଣାରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନ ଚକିତ ହୋଇଯାଇଛି । ତେବେ “ର” ଏଜେଣ୍ଟ ବେଲ୍ ବଟମ୍ (ଅକ୍ଷୟ କୁମାର) କେମିତି ବିମାନ ଅପହରଣ କରିଥିବା ଆତଙ୍କବାଦୀଙ୍କୁ ମାରି ଅପହୃତ ବିମାନକୁ ଉଦ୍ଧାର କରିପାରିଛି, ତାହା ହିଁ ଏହି ଫିଲ୍ମରେ ଦେଖାଯାଇଛି ।

ତେବେ ଏକ ସରଳ ଜୀବନଯାପନ କରୁଥିବା ଏବଂ ଇଂରାଜୀ, ହିନ୍ଦୀ, ଫରାସୀ, ଜର୍ମାନ ଭଳି ଭାଷା ଜାଣିଥିବା ଅନସୁଲ ମାଲହୋତ୍ରା ଯେତେବେଳେ ର ର ଏଜେଣ୍ଟ ବେଲ ବଟମ୍ (ଅକ୍ଷୟ କୁମାର) ଭାବରେ ଜଣାପଡିଥାନ୍ତି ସେତେବେଳେ ଚଳଚ୍ଚିତ୍ରର ଗତି ବଦଳିଯାଏ ।

ଏହି ଅପହରଣର କାହାଣୀରେ ବିମାନ ଅପହରଣ ସହିତ ଅନସୁଲଙ୍କ ବ୍ୟକ୍ତିଗତ ଜୀବନର ଭାବପ୍ରବଣତା ଅନ୍ତର୍ଭୁକ୍ତ । ସେ କାହିଁକି (RAW)ର କୁ ଆସିଛନ୍ତି ଏବଂ କାହିଁକି ସେ ହାଇଜାକର ଘଟଣାଗୁଡ଼ିକୁ ଅତି ଗଭୀର ଭାବରେ ଅଧ୍ୟୟନ କରି ଜଣେ ବିଶେଷଜ୍ଞ ହୋଇପାରିଛନ୍ତି ।

ଲକ୍ଷ୍ନୌ ସେଣ୍ଟ୍ରାଲ୍ (2017) ପରି ଏକ ବିଫଳ ଚଳଚ୍ଚିତ୍ର ପରେ ନିର୍ଦ୍ଦେଶକ ରଣଜିତ୍ ଏମ୍ ତିୱାରୀ ଏହି ବେଲ୍ ବଟମ୍ ଚଳଚିତ୍ରର ନିର୍ଦେଶନା ଦେଇଛନ୍ତି । ଏଥିରେ ମା ଏବଂ ପୁଅର ଭାବପ୍ରବଣତା ଏବଂ ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମକୁ ନିଖୁଣ ଭାବରେ ଦେଖାଇପାରିଛନ୍ତି । ବିମାନ ଅପହରଣ ସହିତ ରାଜନୈତିକ କରିଡରର ହଲଚଲ୍କୁ ମଧ୍ଯ ସେ ଏହି ଫିଲ୍ମରେ ଦେଖାଇବାରେ ସଫଳ ହୋଇଛନ୍ତି ।

1980 ଦଶକର ଏହି କାହାଣୀଟି ସତ୍ଯ ଘଟଣା ଉପରେ ଆଧାରିତ । ଅସୀମ ଆରୋରା ଏବଂ ପରଭେଜ ଶେଖଙ୍କ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରକୁ ରଣଜିତ ତିୱାରୀ ପ୍ରୟୋଜନା କରିଛନ୍ତି । ଏହି 123 ମିନିଟର ମନୋରଞ୍ଜନ ଦର୍ଶକଙ୍କୁ ସଂପୂର୍ଣ୍ଣ ଭାବରେ ବାନ୍ଧି ରଖିପାରୁଛି । ଏହି ଚଳଚ୍ଚିତ୍ର ସହିତ 53 ବର୍ଷିୟ ଅକ୍ଷୟ କୁମାର ପୁଣି ନିଜ ଫର୍ମ ଫେରିପାଇଛନ୍ତି । କେସରୀ, ମିଶନ୍ ମଙ୍ଗଲ, ହାଉସ୍ ଫୁଲ୍ 4 ଏବଂ ଗୁଡ୍ ନ୍ୟୁଜ୍ ସହିତ ସେ 2019ରେ ବହୁତ ଭଲ ଫର୍ମରେ ଥିଲେ । କିନ୍ତୁ 2020 ରେ OTT ପ୍ଲାଟଫର୍ମରେ ଆସିଥିବା ଲକ୍ଷ୍ମୀକୁ ତୀବ୍ର ବିରୋଧ ହୋଇଥିବାବେଳେ ସୂର୍ଯ୍ୟବଂଶୀ ଏପର୍ଯ୍ଯନ୍ତ ରିଲିଜ୍ ହୋଇପାରିନାହିଁ ।

6 ବର୍ଷରେ ମାତ୍ର ତିନୋଟି ଫିଲ୍ଲ କରି ୟଶରାଜ ଫିଲ୍ମରେ ନିଜ କ୍ଯାରିଅର ଖରାପ କରିଥିବା ବାଣୀ କପୁରଙ୍କୁ ଏହି ଫିଲ୍ମରେ ବେଶ୍ ଫାଏଦା ମିଳିଛି । ତାଙ୍କର ଭୂମିକା ଛୋଟ ଥିଲେ ମଧ୍ଯ ତାହା ସୁନ୍ଦର ଏବଂ ଗୁରୁତ୍ବପୂର୍ଣ୍ଣ ରହିଛି । ହୁମା କ୍ୟୁରେସି ଏଥିରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାଁନ୍ତି । ତାଙ୍କ ବ୍ଯତିତ ଲାରା ଦତ୍ତା ଏବଂ ଆଦିଲ ହୁସେନ ନିଜ ଅଭିନୟ ମାଧ୍ଯମରେ ବେଶ୍ ପ୍ରଭାବିତ କରିଛନ୍ତି ।

ମୋଟ ଉପରେ କହିବାକୁ ଗଲେ, ବଲିଉଡ ସିନେମା ପ୍ରେମୀମାନଙ୍କ ପାଇଁ ବେଲ ବଟମ୍ ଥିଏଟରରେ ବସି ଦେଖି ଫିଲ୍ମର ମଜା ନେଇପାରିବେ । 3Dରେ ମଧ୍ଯ ବେଲ୍ ବଟମ୍ ରିଲିଜ୍ ହୋଇଛି ।