ପଇଡ଼ ବୋଝେଇ ଟ୍ରକ୍‌ରୁ ଜବତ ହେଲା ୭୦ଲକ୍ଷ ଟଙ୍କାର ଗଞ୍ଜେଇ, ୨ ଗିରଫ

କୋରାପୁଟ ୨୩।୦୮: (ସଂକେତ ଟିଭି) ପଇଡ଼ ବୋଝେଇ ଟ୍ରକ୍‌ରୁ ଜବତ ହେଲା ୭୦ଲକ୍ଷ ଟଙ୍କାର ଗଞ୍ଜେଇ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଲମତାପୁଟ ଅଞ୍ଚଳରୁ ସାତ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ୨ଜଣ ଚାଲାଣକାରୀଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଜଗେନ୍ଦ୍ର ତିଓ୍ୱାରି ଓ ଶିବ ଶଙ୍କର ଚୌଧରି । ସେମାନଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଏକ ପଇଡ ବୋଝେଇ ଟ୍ରକ୍‌ରେ ଲମତାପୁଟ ଓ ଜୟପୁର ରାସ୍ତା ଦେଇ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇ କଞ୍ଚଣା ଗାଁ ଛକ ନିକଟରେ ପୋଲିସ ଗାଡି ମୋଟର ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଟ୍ରକରୁ ୭୦୧କେଜି ୭୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।