ବର୍ଷକୁ ଦେଢ କୋଟି ଟଙ୍କା ରୋଜଗାର କରୁଥିଲେ ଅମିତାଭଙ୍କ ବଡିଗାର୍ଡ, ବଦଳି କଲା ସିଟି ପୋଲିସ

ମୁମ୍ବାଇ ୨୭।୮: (ସଂକେତ୍ ଟିଭି) ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ (ପୋଲିସ୍‌ ହେଡ କନେଷ୍ଟେବଲ) ଜିତେନ୍ଦ୍ର ସିନ୍ଧେ ବାର୍ଷିକ ୧.୫ କୋଟି ଟଙ୍କା ଉପାର୍ଜନ କରୁଥିବା ଅଭିଯୋଗ ହେବା ପରେ ତାଙ୍କୁ ବଦଳି କରାଯାଇଛି। ସିଟି ପୋଲିସ କମିଶନର ହେମନ୍ତ ନାଗରାଲ ତାଙ୍କୁ ଡିବି ମାର୍ଗ ପୋଲିସ ଷ୍ଟେସନକୁ ବଦଳି କରିଛନ୍ତି । ଏହା ସହିତ ସିନ୍ଧେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ସୁପରଷ୍ଟାର ଅମିତାଭ ବଚ୍ଚନ ଏକ୍ସ କେଟେଗୋରୀ ସୁରକ୍ଷା ଅଧିନରେ ଆସୁଥିବାରୁ ତାଙ୍କୁ ପ୍ରତି ସିଫ୍ଟରେ ଦୁଇ ଜଣ କନେଷ୍ଟେବଲ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମୁମ୍ବାଇ ପୁଲିସ ବିଭାଗର କନେଷ୍ଟବଳ ସିନ୍ଧେ 2015ରେ ଅମିତାଭ ବଚ୍ଚନଙ୍କର ଜଣେ ଅଙ୍ଗରକ୍ଷୀ ଭାବେ ନିଯୁକ୍ତି ପାଇଥିଲେ। ଗତ କିଛି ବର୍ଷ ହେବ ଏହି କାର୍ଯ୍ୟ ତୁଲାଇ ଆସୁଥିବା ସିନ୍ଧେଙ୍କ ବିରୋଧରେ ନିକଟ ଅତୀତରେ ଅଭିଯୋଗ ହୋଇଛି ଯେ, ତାଙ୍କର ବାର୍ଷିକ ଆୟ ୧.୫ କୋଟି ଟଙ୍କା। ଏହି ଅର୍ଥ ସେ ଅମିତାଭଙ୍କ ଠାରୁ କିମ୍ବା ଅନ୍ୟ କହା ଠାରୁ ଉପାର୍ଜନ କରୁଛନ୍ତି, ସେ ବିଷୟରେ ଏବେ ମୁମ୍ବାଇ ପୁଲିସ ତଦନ୍ତ କରୁଛି।

ଚାକିରି କରିବା ସହ ଗୋଟାଏ ସିକ୍ୟୁରିଟି ଏଜେନ୍‌ସି ଚଳାଉଥିବା କଥା ସିନ୍ଧେ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି। ତାଙ୍କ ସିକ୍ୟୁରିଟି ଏଜେନ୍‌ସି ଅନ୍ୟ କେତେକ ସେଲିବ୍ରେଟି ଏବଂ ଖ୍ୟାତନାମା ବ୍ୟକ୍ତିଙ୍କୁ ନିରାପତ୍ତା ଯୋଗାଉଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ପୋଲିସକୁ ସିନ୍ଧେ କହିଛନ୍ତି ଯେ, ଉକ୍ତ ସିକ୍ୟୁରିଟି ବ୍ୟବସାୟ ତାଙ୍କ ସ୍ତ୍ରୀଙ୍କ ନାମରେ ଚାଲିଛି। ଅମିତାଭ ତାଙ୍କୁ ୧.୫ କୋଟି ଟଙ୍କା ଦେଇ ନ ଥିବା କଥା ମଧ୍ୟ ସେ କହିଛନ୍ତି।

ମୁମ୍ବାଇ ପୋଲିସ କହିବା ଅନୁସାରେ, ଜଣେ ପୁଲିସ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ ୫ ବର୍ଷରୁ ଅଧିକ କାଳ ମୁତୟନ କରାଯାଇ ପାରିବ ନାହିଁ। ଜିତେନ୍ଦ୍ର ସିନ୍ଧେ ୨୦୧୫ରୁ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଭାବେ କାମ କରି ଆସୁଛନ୍ତି। ବଚ୍ଚନଙ୍କ ପ୍ରିୟ ଅଙ୍ଗରକ୍ଷୀମାନଙ୍କ ମଧ୍ୟରୁ ସିନ୍ଧେ ଅନ୍ୟତମ ଥିଲେ। ସବୁ ସ୍ଥାନରେ ତାଙ୍କୁ ବଚ୍ଚନଙ୍କ ସହ ଦେଖିବାକୁ ମିଳୁଥିଲା।