ପ୍ରେମିକ ଯଶ ଦାସଗୁପ୍ତଙ୍କ ସହ ନିଜ ସଂପର୍କକୁ ସ୍ବୀକାର କଲେ ନୁସରତ ଜାହାନ

କୋଲକାତା, ୦୫।୦୯: ( ସଂକେତ ଟିଭି) ଟିଏମସି ସାଂସଦ ତଥା ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାନଙ୍କୁ ନେଇ ଗତ କିଛି ଦିନ ହେବ ଚର୍ଚା ଲାଗି ରହିଛି । କିଛି ଦିନ ପୂର୍ବରୁ ନୁସରତ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସୋସିଆଲ ମିଡିଆରେ ଅନେକ ଲୋକ ନୁସରତଙ୍କ ପୁଅର ପିତାଙ୍କ ବିଷୟରେ ପ୍ରଶ୍ନ କରୁଛନ୍ତି। ଏହି ସମୟରେ ନୁସରତ ଗୋଟିଏ ଭିଡିଓରେ ପ୍ରେମିକ ୟଶ ଦାସଗୁପ୍ତାଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓ ଦେଖି କୁହାଯାଉଛି ଯେ ନୁସରତ ତାଙ୍କ ଏବଂ ୟଶଙ୍କ ସମ୍ପର୍କକୁ ସାର୍ବଜନିକ କରିବା ସହ ମୋହର ଲଗାଇଛନ୍ତି।

ନୁସରତ ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ଘୋଷଣା କରିବା ଦିନଠାରୁ ତାଙ୍କ ନାମ ଅଭିନେତା ତଥା ତାଙ୍କର ଘନିଷ୍ଠ ବନ୍ଧୁ ୟଶ ଦାସଗୁପ୍ତଙ୍କ ସହ ଜଡିତ ଥିଲା । ଦୁହେଁ ପ୍ରାୟତଃ ଏକାଠି ଦେଖାଯାଉଥିଲେ । ଏହି ସମୟରେ ନୁସରତ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ତାଙ୍କ ପୁଅର ଝଲକ ପାଇବାକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଏଭଳି ପରିସ୍ଥିତିରେ ଜଣେ ପ୍ରଶଂସକ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯାହାର କ୍ୟାପସନରେ ଲେଖା ଅଛି, ‘ୟଶାନଙ୍କ ଜନ୍ମ ପାଇଁ ଅଭିନନ୍ଦନ। ଆମେ ଏପର୍ଯ୍ୟନ୍ତ ଆମର ବେବିଜାନର ଝଲକ ପାଇନାହୁଁ, ତେଣୁ ମୁଁ ତୁମ ଦୁହିଁଙ୍କ ପାଇଁ ଏହି କ୍ଷୁଦ୍ର ଭିଡିଓ ବାର୍ତ୍ତା ଦେଇଛି । ନୁସରତଙ୍କ ଫେନଙ୍କ ତରଫରୁ ୟଶାନଙ୍କୁ ବହୁତ ପ୍ରେମ ।

ଏପରି ପରିସ୍ଥିତିରେ, ଯେତେବେଳେ ନୁସରତ ଏହି ଭିଡିଓ ସେୟାର କରିଥିଲେ, ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଥିଲେ । ଏଥି ସହିତ, ଉପଭୋକ୍ତାମାନଙ୍କ କହିବାନୁସାରେ, ନୁସରତ ୟଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମୋହର ଲଗାଇଛନ୍ତି।

ନୁସରତ 19 ଜୁନ୍ 2019 ରେ ତୁର୍କୀର ବୋଡ୍ରମ୍ ସିଟିରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ନିଖିଲ ବେଙ୍ଗଲର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି । ନିଖିଲଙ୍କର ପାରିବାରିକ ବ୍ୟବସାୟ ଅଛି । ତାଙ୍କ ଶାଢୀର ବ୍ରାଣ୍ଡ ନାମ ହେଉଛି ‘ରଙ୍ଗୋଲି’ । ତାଙ୍କ ପିତା ମୋହନ କୁମାର ଜୈନ ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କରିଥିଲେ। ଆଜି କୋଲକାତା ବ୍ୟତୀତ ଏହା ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର ଏବଂ ବିଜୟୱାଡାରେ ବେଶ୍ ଭଲ ବ୍ୟବସାୟ କରୁଛି ।