ୟୁପିରେ ୧୦୦ ଆସନରେ ଜିତିବ ଏଆଇଏମଆଇଏମ : ଅସାଦୁଦ୍ଦିନ ଓୱେସୀ

ଲକ୍ଷ୍ନୌ ୦୭।୦୯: (ସଂକେତ୍ ଟିଭି) ଉତ୍ତର ପ୍ରଦେଶରେ ସେ ୧୦୦ ଆସନରେ ନିର୍ବାଚନ ଲଢ଼ି ୧୦୦ ଆସନରେ ଜିତିବ ଏଆଇଏମଆଇଏମ । ଏହି ଦାବି କରିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ସେ ଅଯୋଧ୍ୟା ଗସ୍ତ ପୂର୍ବରୁ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚି ଏହି ଦାବି କରିଛନ୍ତି।

ସେ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ସେ ୧୦୦ ଆସନରେ ନିର୍ବାଚନ ଲଢ଼ିବେ ଓ ଜିତିବେ। ୧୦୦ ବର୍ଷ ହେଲା ସମସ୍ତଙ୍କୁ ଜିତାଇଛୁ ଏବେ ଆମେ ନିଜେ ଜିତିବୁ। ସବୁ ଦଳ କେବଳ ମୁସଲମାନଙ୍କୁ ବ୍ୟବହାର କରିଛନ୍ତି। ସପା-ବସପା ମେଣ୍ଟ ସତ୍ତ୍ୱେ ବିଜେପି ଜିତିଲା। ୟୁପିରେ ମୁସଲମାନଙ୍କ ସ୍ଥିତି ବହୁତ ଖରାପ ବୋଲି ସେ କହିଛନ୍ତି ।

ଉତ୍ତର ପ୍ରଦେଶ ନିର୍ବାଚନରେ ସପା-ବସପା ସହ ମେଣ୍ଟକୁ ନେଇ ପ୍ରଶ୍ନ କରିବାରୁ ଓୱେସୀ କହିଛନ୍ତି, ‘ଆଗରୁ ସପା-ବସପାକୁ ଆମ ସହ ମେଣ୍ଟ କରିବାକୁ ଆସିବାକୁ ଦିଅନ୍ତୁ। ଆମେ ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ଅଛୁ। ସେ ଆଗେ କଥା ହୁଅନ୍ତୁ।’

ସେପଟେ ଅଯୋଧ୍ୟାରେ ଓୱେସୀଙ୍କ ଜନସଭାରେ ଫୈଜାବାଦ ଲେଖା ହୋଇଥିବା ପୋଷ୍ଟର ଉପରେ ପୋଲିସ ଷ୍ଟିକର ଲଗାଇ ଦେଇଛି। ପୋଲିସ ପୋଷ୍ଟର ଓ ହୋଡିଂ ହଟାଇ ଦେଇଛି। ପୋଲିସ କହିଛି ଯେ ଜିଲ୍ଲାର ନାଁ ବଦଳି ଯାଇଛି, ସେଥିପାଇଁ ଫୈଜାବାଦ ଲେଖିବା କିଛି ଆବଶ୍ୟକ ନାହିଁ। ଅଯୋଧ୍ୟାକୁ ଫୈଜାବାଦ କହିବାରୁ ଅଯୋଧ୍ୟା ମୁସଲମାନ ସମାଜ ମଧ୍ୟ ରାଗି ଯାଇଛି। ଲୋକେ କହିଛନ୍ତି ସେମାନେ ସରକାରଙ୍କ କଥା ଶୁଣନ୍ତି ଓ ମାନନ୍ତି। ଓୱେସୀ ମୁସଲମାନ ସମାଜର ଠିକାଦାର ନୁହନ୍ତି। ସେ ସବୁବେଳେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଝଗଡା କଲାଭଳି କଥା କୁହନ୍ତି।

ମୁରାଦାବାଦ ସମାଜବାଦୀ ପାର୍ଟି ସାଂସଦ ଏସଟି ହସନ ଓୱେସୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଓୱେସୀ ହୁଅନ୍ତୁ କି ବିଜେପି, ଉଭୟେ ଧୃବିକରଣ କରିବାକୁ ଚେଷ୍ଟା କରନ୍ତି। ଲୋକେ ଏବେ ସବୁ ବୁଝି ଗଲେଣି। ଏବେ ଆଉ ଲୋକଙ୍କୁ କିଛି ଫରକ ପଡୁନି।