ବିଶ୍ବସ୍ତରୀୟ ହେବ ଭୁବନେଶ୍ବର ରେଳ ଷ୍ଟେସନ, ନିର୍ମାଣ ହେବ ୧୯ ମହଲା ବିଲ୍ଡିଂ

ଭୂବନେଶ୍ବର ୦୭।୦୯: (ସଂକେତ୍ ଟିଭି) ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ । ଏଥିପାଇଁ ଷ୍ଟେସନର ପ୍ଲାଟଫର୍ମ ନଂ ୧ ଓ ୬ ନିକଟରେ ଥିବା ଖାଲି ଜମିକୁ ଅଧିଗ୍ରହଣ କରାଯାଇଛି । ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ। ମଲ୍ ଓ ମାର୍କେଟ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପ୍ରଶ୍ନର ଉତ୍ତର ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଏକ ଇଣ୍ଟିଗ୍ରଡେଡ ଡେଭଲପମେଣ୍ଟ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ଷ୍ଟେସନ ଭିତରର ଉନ୍ନତି ପାଇଁ ବାରମ୍ବାର କେନ୍ଦ୍ର ରେଳ ମନ୍ତ୍ରଣାଳୟ ନିକଟରେ ଦାବି କରୁଛନ୍ତି । କିନ୍ତୁ ପଦକ୍ଷେପ ନିଆଯାଉ ନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ଵ ଅର୍ଥରେ ଷ୍ଟେସନର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି। କୋଭିଡ ସ୍ଥିତି, ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପାଖରୁ ଅନୁମତି ମିଳି ସାରିଛି ବୋଲି ସେ କହିଛନ୍ତି ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଧାୟକ ସୁରେଶ ରାଉତରାୟ ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଭୁବନେଶ୍ବର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ଟେଣ୍ଡର ହୋଇଥିଲେ ସୁଦ୍ଧା କାହିଁକି ବିଳମ୍ବ ହେଉଛି ଓ କାରଣ କଣ ବୋଲି ପଚାରି ଥିଲେ । ଏହାସହ ବାରମ୍ବାର ଡିଜାଇନ ବଦଳାଇବାର ଆବଶ୍ୟକତା କଣ ଅଛି ବୋଲି ପଚାରିଥିଲେ ।