ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ଦେଇ ମୁଖ୍ଯମନ୍ତ୍ରୀଙ୍କ ବାପା ଗିରଫ

ରାୟପୁର ୦୭।୦୯: (ସଂକେତ୍ ଟିଭି) ବ୍ରାହ୍ମଣଙ୍କ ବିରୋଧରେ ବୟାନ ଦେବା ମହଙ୍ଗା ପଡିଲା। ଶେଷରେ ଗିରଫ ହୋଇଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲ । ବ୍ରାହ୍ମଣ ବିରୋଧୀ ଆପତ୍ତିଜନକ ମନ୍ତବ୍ୟ ପାଇଁ ନନ୍ଦକୁମାର ବାଘେଲଙ୍କ ନାଁରେ ଏତଲା ଦାଏର ହୋଇଥିଲା। ଗିରଫଦାରୀ ପରେ ନନ୍ଦ କୁମାରଙ୍କୁ ରାୟପୁରର ଏକ ଅଦାଲତରେ ହାଜର କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

ନନ୍ଦ କୁମାରଙ୍କ ‘ସର୍ବ ବ୍ରାହ୍ମଣ ସମାଜ’ ବୟାନ ବିରୋଧରେ ପୋଲିସ ଶନିବାର ବିଳମ୍ବିତ ରାତିରେ ଏହି ଏତଲା ଦାଏର କରିଥିଲା ।ନନ୍ଦ କୁମାର ବାଘେଲଙ୍କ ବିରୋଧରେ ଧାରା ୧୫୩-ଏ(ବିଭିନ୍ନ ସମୂହଙ୍କ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା) ଓ ୫୦୫(୧)(ବି) ଆଧାରରେ ମାମଲା ରୁଜୁ କରାଯାଇଥିଲା। । ମୁଖ୍ୟମନ୍ତ୍ରୀଙ୍କ ବାପା ବ୍ରାହ୍ମଣଙ୍କୁ ବିଦେଶୀ କହି ସେମାନଙ୍କୁ ବହିଷ୍କାର କରିବାକୁ ଅପିଲ କରିଥିବା ଅଭିଯୋଗ ହୋଇଛି ।

କଣ କହିଥିଲେ ବାଘେଲଙ୍କ ବାପା ?

ମୁଖ୍ୟମନ୍ତ୍ରୀ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲ କହିଥିଲେ, ମୁଁ ଭାରତର ସମସ୍ତ ଗାଁ ଲୋକଙ୍କୁ ଅପିଲ୍ କରୁଛି ଯେ, ସେମାନେ ନିଜ ନିଜ ଗାଁରେ ବ୍ରାହ୍ମଣଙ୍କୁ ପୁରାଇ ଦିଅନ୍ତୁ ନାହିଁ। ମୁଁ ଅନ୍ୟ ସମୁଦାୟ ସହ ଆଲୋଚନା କରିବି ଯଦ୍ଵାରା ଗାଁରୁ ବ୍ରାହ୍ମଣଙ୍କ ବହିଷ୍କାର ହୋଇ ପାରିବ। ସେମାନଙ୍କୁ ଭୋଲଗା ନଦୀ କୂଳକୁ ପଠାଇ ଦିଆଯିବାର ଆବଶ୍ୟକତା ରହିଛି। ବ୍ରାହ୍ମଣ ପରଦେଶୀ ଅଟନ୍ତି। ଯେଉଁଭଳି ଇଂରେଜମାନେ ଆସିଥିଲେ ଏବଂ ଚାଲିଗଲେ, ଠିକ୍ ସେହିପରି ବ୍ରାହ୍ମଣମାନେ ସୁଧୁରି ଯାଆନ୍ତୁ କିମ୍ଵା ପୁଣି ଗଙ୍ଗାର ଭୋଲଗା ଯିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।

ସେପଟେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବାପାଙ୍କ ନାଁରେ ଏଫଆଇଆଇ ଦାଏର ଘଟଣାକୁ ନେଇ ମୁହଁ ଖୋଲିଥିଲେ। ଆଇନଠାରୁ କେହି ଊର୍ଦ୍ଧ୍ବରେ ନୁହଁନ୍ତି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ଏଫଆଇଆର ଉପରେ ବାଘେଲ କହିଥିଲେ, ଜଣେ ମୁଖ୍ୟମନ୍ତ୍ରୀ ଭାବରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ ରକ୍ଷା କରିବା ମୋର ଦାୟିତ୍ବ । ଯଦି ବାପା ବ୍ରାହ୍ମଣ ସମାଜ ବିରୋଧରେ କିଛି କହିଥିବେ ତେବେ ମୁଁ ଏଥିପାଇଁ ଦୁଃଖିତ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।