ପୁଣି ଗୃହବନ୍ଦୀ ହେଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତୀ

ଶ୍ରୀନଗର ୦୭।୦୯: (ସଂକେତ୍ ଟିଭି) ପୁଣି ଗୃହବନ୍ଦୀ ପିଡିପି ମୁଖ୍ୟ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି । ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତିଙ୍କୁ ଆଜି(ମଙ୍ଗଳବାର) ଗୃହବନ୍ଦୀ କରାଯାଇଥିବା ସେ ନିଜେ ଟ୍ବିଟ କରି ଜଣାଇଛନ୍ତି । ଆଜି ସେ ତାଙ୍କ ଦଳର କାର୍ଯ୍ୟାଳୟକୁ ଯିବାକୁ ଥିବାବେଳେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ମୁଫ୍‌ତୀ କହିଛନ୍ତି ।

ମେହବୁବା ମୁଫ୍‌ତୀ ଟ୍ବିଟ୍‌ କରି କହିଛନ୍ତି ଯେ, ‘ଭାରତ ସରକାର ଆଫଗାନିସ୍ତାନର ଲୋକମାନଙ୍କ ପାଇଁ ଚିନ୍ତା ବ୍ୟକ୍ତ କରୁଛନ୍ତି କିନ୍ତୁ ଜାଣିଶୁଣି ସେହି ଅଧିକାରରୁ କାଶ୍ମୀରବାସୀଙ୍କୁ ବଞ୍ଚିତ କରୁଛନ୍ତି । ମୋତେ ଆଜି ପୁଣିଥରେ ଗୃହବନ୍ଦୀ କରାଯାଇଛି । କାଶ୍ମୀରରେ ସ୍ଥିତି ଠିକ ନଥିବା ଆଳ ଦେଖାଇ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି । ଏଥିରୁ ଜଣାପଡୁଛି କାଶ୍ମୀରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦରଦ କେତେ ଅଛି ।’

ମୁଁ ଆଜି ପୁଣି ଗୃହବନ୍ଦୀ ହୋଇଛି କାରଣ ପ୍ରଶାସନ ଅନୁଯାୟୀ କାଶ୍ମୀରରେ ସ୍ଥିତି ସ୍ବାଭାବିକ ନୁହେଁ। ଏହା ସ୍ବାଭାବିକତାର ମିଥ୍ୟା ଦାବିକୁ ପ୍ରକାଶ କରିଥିବା ପିଡିପି ମୁ୍ଖ୍ୟ କହିଛନ୍ତି । ମୁଫତିଙ୍କ ଏକ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା, କିନ୍ତୁ ପ୍ରଶାସନ ସେଠାକୁ ଯିବା ପୂର୍ବରୁ ତାଙ୍କୁ ଅଟକାଇ ଦେଇଛି ।

ତେବେ ମେହବୁବାଙ୍କ ଗୃହବନ୍ଦୀ ସମ୍ପର୍କରେ ସରକାରୀ ସ୍ତରରେ କିଛି କୁହାଯାଇନାହିଁ । ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କର ପରଲୋକ ଘଟିବା ପରେ ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ, ମୋବାଇଲ ସେବାକୁ ସାମୟିକ ଭାବରେ ବନ୍ଦ ରଖାଯାଇଛି ।

ଏହାପୂର୍ବରୁ ସେପ୍ଟେମ୍ବର ୫ ତାରିଖରେ ମୁଫତି ଟ୍ବିଟ୍‍ କରି କହିଥିଲେ, କାଶ୍ମୀରର ଗୋଟିଏ ପରିବାରକୁ ସେମାନଙ୍କର ଇଚ୍ଛାନୁଯାୟୀ ଶୋକ କରିବା ଏବଂ ଅନ୍ତିମ ବିଦାୟ ଦେବାକୁ ଅନୁମତି ଦିଆଯାଉନାହିଁ । ଏହା ସରକାରଙ୍କ ନିଷ୍ଠୁର ଆଚରଣକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ ମୁଫତି । ଗିଲାନୀଙ୍କ ମୃତ୍ୟୁପରେ ତାଙ୍କ ବାସଭବନ ନିକଟ ଏକ ମସଜିଦରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ଦଳୀୟ ବୈଠକ ପରେ ମେହବୁବା କହିଥିଲେ, ‘ଗିଲାନୀଙ୍କ ସହିତ ଆମର ରାଜନୈତିକ ମତଭେଦ ଥିଲା, ବିବାଦ ରହିଥିଲା ସତ କିନ୍ତୁ ଜଣଙ୍କ ମୃତ୍ୟୁ ପରେ ସମସ୍ତ ମତଭେଦ ଶେଷ ହୋଇଯାଇଥାଏ । ମୃତକ ଅନ୍ତିମ ସତ୍କାର ପାଇଁ ହକ୍‌ଦାର ହୋଇଥାଏ ।”