ପାକିସ୍ତାନ ବିରୋଧୀ ରାଲିରେ ଆନ୍ଦୋଳନକାରୀଙ୍କୁ ତାଲିବାନର ଗୁଳିମାଡ

କାବୁଲ ୦୭।୦୯: (ସଂକେତ୍ ଟିଭି) କାବୁଲରେ ପାକିସ୍ତାନ ବିରୋଧୀ ରାଲି ଉପରେ ଗୁଳି ବର୍ଷା କରିଛନ୍ତି ତାଲିବାନୀ । ଭିଡକୁ ଘଉଡାଇବା ପାଇଁ ଆତଙ୍କି ଗୁଳି ଚଳାଇଥିଲେ । ମଙ୍ଗଳବାର କାବୁଲର ବିଭିନ୍ନ ସ୍ଥାନରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ହୋଇଛି । ତେବେ କାବୁଲର ରାଷ୍ଟ୍ରପତି ଭବନ ସାମ୍ନାରେ ଆନ୍ଦୋଳନକାରୀଙ୍କ ଉପରେ ତାଲିବାନ ଆତଙ୍କୀ ଗୁଳି ଚଳାଇଛନ୍ତି ।

ସୂଚନା ଅନୁଯାୟୀ, କାବୁଲର ରାଷ୍ଟ୍ରପତି ଭବନ ସାମ୍ନାରେ ଅନେକ ସଂଖ୍ୟକ ପ୍ରଦର୍ଶନକାରୀ ପାକିସ୍ତାନ ବିରୋଧୀ ନାରା ଦେଇ ପଦଯାତ୍ରା କରୁଥିଲେ । ରାଷ୍ଟ୍ରପତି ଭବନ ନିକଟରେ କାବୁଲ ସେରେନା ହୋଟେଲରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ମୁଖ୍ୟ ଗତ ସପ୍ତାହେ ଧରି ଡେରା ପକାଇଛନ୍ତି । ସେଥିପାଇଁ ବିକ୍ଷୋଭକାରୀମାନେ ଏଠାରେ ବିକ୍ଷୋଭ କରୁଥିଲେ । ପ୍ରଦର୍ଶନକୁ କଭର କରୁଥିବା ସାମ୍ବାଦିକଙ୍କୁ ମଧ୍ୟ ତାଲିବାନ ଗିରଫ କରିଥିବା ସୂଚନା ମିଳିଛି ।

ଆଫଗାନିସ୍ତାନରେ ଗତ ଦୁଇ ଦିନରୁ କ୍ରମାଗତ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆଫଗାନ ନାଗରିକ ପାକିସ୍ତାନ ପକ୍ଷରୁ ପଞ୍ଜଶୀରରରେ କରାଯାଇଥିବା ଡ୍ରୋନ ଆକ୍ରମଣକୁ ବିରୋଧ କରୁଛନ୍ତି । ପଞ୍ଜଶୀରରେ ପାକିସ୍ତାନ ବାୟୁସେନା ପକ୍ଷରୁ ନର୍ଦନ ଆଲାଏନ୍ସ ଉପରେ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏଥିରେ ତାଲିବାନକୁ ଲାଭ ପହଁଞ୍ଚିଛି । ଏହାକୁ ନେଇ ଆଫଗାନବାସୀ ପାକିସ୍ତାନକୁ ଜୋରଦାର ବିରୋଧ କରୁଛନ୍ତି । ନିକଟରେ କାବୁଲ ଓ ମଜାର ଏ ସରିଫରେ ପ୍ରଦର୍ଶନ ହୋଇଥିଲା, ଯେଉଁଥିରେ ଅନେକ ସଂଖ୍ୟକ ମହିଳା ସାମିଲ ହୋଇଥିଲେ ।