ନୂଆଁଖାଇରେ ମୁଖ୍ଯମନ୍ତ୍ରୀଙ୍କ ଭେଟି, ୩୭ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି

ଭୁବନେଶ୍ବର ୧୧/୦୯ : (ସଂକେତ ଟିଭି) ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା । ରବି ଫସଲ ପାଇଁ ୩୭ ଲକ୍ଷ ଚାଷୀଙ୍କୁ ଆକାଉଣ୍ଟକୁ ୭୪୨.୫୮ କୋଟି ଟଙ୍କା ପଠାଇଲେ ରାଜ୍ୟ ସରକାର । କାଳିଆ ଯୋଜନାର ସହାୟତା ରାଶି ଭାବରେ ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି ।

କାଳିଆ ଯୋଜନାର ବିଭିନ୍ନ କିସ୍ତିରେ ରାଜ୍ୟର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଆଜି ସୁଦ୍ଧା କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ମୋଟ ୩୨୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିସାରିଲେଣି ରାଜ୍ୟ ସରକାର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।