ଆମେରିକା ଚାପରେ ଶପଥ ଗ୍ରହଣ ସମାରୋହ ଘୁଞ୍ଚାଇଲା ତାଲିବାନ

କାବୁଲ ୧୧/୦୯ : (ସଂକେତ ଟିଭି) ଆଫଗାନିସ୍ତାନ ସରକାର ଶପଥ ଗ୍ରହଣ ଉତ୍ସବକୁ ଘୁଞ୍ଚାଇ ଦେଇଛି । ଆମେରିକାରେ ହୋଇଥିବା ୯/୧୧ ଆତଙ୍କୀ ହମ୍‌ଲାର ବର୍ଷ ପୂର୍ତ୍ତି ଅବସରରେ ଆଜି ଆଫଗାନିସ୍ତାନ ସରକାର ଶପଥ ଗ୍ରହଣ କରିଥାନ୍ତେ। ହେଲେ ଆଜି ହେବାକୁ ଥିବା ଏହି ଶପଥ ସମାରୋହକୁ ତାଲିବାନ ବାତିଲ କରିଛି।

ତାଲିବାନର ସାଂସ୍କୃତିକ ଆୟୋଗର ସଦସ୍ୟ ଇନାମୁଲ୍ଲା ସାମଙ୍ଗାନି ଟୁଇଟ୍‌ କରି କହିଛନ୍ତି ଯେ, ‘ଦେଶର ମଧ୍ୟବର୍ତ୍ତୀକାଳିନ ସରକାରଙ୍କ ଶପଥ ସମାରୋହକୁ ବାତିଲ କରାଯାଇଛି। ଇସଲାମିକ ଅମିରାତ ନେତୃତ୍ୱରେ କ୍ୟାବିନେଟ୍‌ ଘୋଷଣା ହୋଇଥିଲା। ତେବେ ଶପଥ ଗ୍ରହଣ ପୂର୍ବରୁ ହିଁ ତାଲିବାନ ସରକାର କାମ କରିବା ଆରମ୍ଭ କରିଦେଇଛି।’

ତେବେ ଆମେରିକାରେ ହୋଇଥିବା ୯/୧୧ ଆତଙ୍କୀ ହମ୍‌ଲାର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଲିବାନର ଅନ୍ତରୀଣ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ ବୋଲି ବିଭିନ୍ନ ଗଣମାଧ୍ଯମ ରିପୋର୍ଟ କରିଥିଲେ । ତେବେ ଏହି ଶପଥ ସମାରୋହକୁ ଏବେ ତାଲିବାନ ଘୁଞ୍ଚାଇ ଦେଇଛି। ତାଲିବାନ ସରକାର ଗଠନ ପୂର୍ବରୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଚୀନ୍, ତୁର୍କୀ, ପାକିସ୍ଥାନ, ଇରାନ, କତାର ଏବଂ ଭାରତ ଏବଂ ଆମେରିକା ଭଳି ପଡୋଶୀ ଦେଶକୁ ଆମନ୍ତ୍ରଣ କରିଛି। ଦୁଇଥର ସ୍ଥଗିତ ରହିବା ପରେ ତାଲିବାନ ମଙ୍ଗଳବାର ମଧ୍ୟବର୍ତ୍ତୀକାଳିନ ସରକାର ଗଠନ କରିବାକୁ ଘୋଷଣା କରିଛି। ତେବେ ଋଷ ତାଲିବାନର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବ ନାହିଁ ବୋଲି କହିଛି।

ଆମେରିକାର ୯/୧୧ ଆତଙ୍କୀ ହମ୍‌ଲାରେ ପାଖାପାଖି ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ୨୦୦୧ରେ ଅଲକାଏଦା ଆତଙ୍କବାଦୀମାନେ ଆମେରିକା ଉପରେ ଭୟଙ୍କର ହମ୍‌ଲା କରିଥିଲେ। ବିମାନକୁ ହାଇଜାକ୍‌ କରି ଆତଙ୍କବାଦୀମାନେ ୱାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଟ୍ୱିନ୍‌ ଟାୱାରକୁ ଓ ପେଣ୍ଟାଗନ୍‌ ମୁଖ୍ୟ କାର୍ଯ୍ୟାଳୟକୁ ଉଡାଇ ଦେଇଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି।