ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ

ଅହମଦାବାଦ ୧୧/୦୯ : (ସଂକେତ ଟିଭି) ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟରୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର୍‌ ପାଟିଲଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମତଭେଦ ଥିଲା । ଏହି କାରଣରୁ ସେ ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଉଛି ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜୟ ରୂପାଣୀ । ସେ କହିଛନ୍ତି, ‘ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ମୋତେ ଦାୟିତ୍ବ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ । ସମୟ ଅନୁସାରେ ଦଳ କର୍ମୀଙ୍କ ଦାୟିତ୍ବ ପରିବର୍ତ୍ତନ କରେ । ସେହି ଅନୁସାରେ ଦଳ ମୋତେ ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ଦେଇଛି । ଆଗକୁ ଦଳ ଯେଉଁ ଦାୟିତ୍ବ ଦେବ ତାହା ପାଳନ କରିବି ।’

ବିଜୟ ରୂପାଣୀ ୨୦୧୬ ମସିହା ଅଗଷ୍ଟ ୭ ତାରିଖରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ବିଜୟଙ୍କ ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସସ୍‌ପେନ୍ସ ରହିଥିବା ବେଳେ କେନ୍ଦ୍ରୀୟ ରାଜନୀତିରେ ଏହାର ପ୍ରଭାବ ପଡିବା ଏକ ପ୍ରକାର ନିଶ୍ଚିତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାତରେ ୪ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବାପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଆନନ୍ଦୀବେନ୍‌ ପଟେଲ । ଏହାପରେ ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଏପରିକି ଗୁଜୁରାଟରେ ୨୦୧୭ ସାଧାରଣ ନିର୍ବାଚନ ପରେ ମଧ୍ୟ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପିର ଭେଟେରାନ୍ ଲିଡର ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ମାସ ଧରି ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ରାଜ୍ୟରେ କଡା ଟକ୍କର ଦେଇଛି । କଂଗ୍ରେସ ମଧ୍ୟ ଗତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ।