Latest

ଅବପାତର ରୂପ ନେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୨/୦୯: (ସଂକେତ ଟିଭି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଏହାକୁ ନଜରରେ ରଖି ୭ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରୀ କରାଯାଇଥିବା ବେଳେ ୬ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହା ଚଳିତ ବର୍ଷର ସବୁଠାରୁ ବଡ଼ ଲଘୁଚାପ ବୋଲି ପାଣିପାଗ ବିଶେଷଜ୍ଞ ମତ ଦେଇଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ ବର୍ଷା ଜାରୀ ରହିବ । ଏନେଇ ପୁରୀ, ଖୋର୍ଦ୍ଧା, କଟକ , ଜଗତସିଂହପୁର,କେନ୍ଦ୍ରାପଡା, କଟକ, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମସ୍ତ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଗଂଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଥିବା ବେଳେ କଳାହାଣ୍ଡି ,ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି ।

ଏହି ସମୟରେ ମତ୍ସ୍ୟଜିବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମୁଥିବା ବେଳେ ରାଜ୍ୟରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।