ୟୁପିର ସମସ୍ତ ୪୦୩ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ଶିବସେନା

ମୁମ୍ବାଇ ୧୨।୦୯ : (ସଂକେତ ଟିଭି) ମହାରାଷ୍ଟ୍ରର ଶାସକ ଦଳ ଶିବସେନା ୟୁପି ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି। ଆସନ୍ତା ବିଧାନସଭା ନିର୍ବାଚନରେ ଶିବସେନା ଉତ୍ତରପ୍ରଦେଶର ସମସ୍ତ ୪୦୩ ସିଟ୍‌ରେ ନିର୍ବାଚନ ଲଢ଼ିବ। ଶିବସେନା ତରଫରୁ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କିନ୍ତୁ ଏବେ ଯାଏଁ ଦଳ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିନାହିଁ। କିନ୍ତୁ ମେଣ୍ଟ ନେଇ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ସଂକେତ ଦେଇଛି । ଉତ୍ତରପ୍ରଦେଶରେ ଶିବାସେନା ମୈଦାନକୁ ଓହ୍ଲାଇଲେ ବିଜେପିକୁ କ୍ଷତି ହୋଇପାରେ। କାରଣ ଉଭୟ ଦଳ ହିନ୍ଦୁତ୍ବ ବିଚାରଧାରା ଉପରେ ଆଧାରିତ ।

ଶିବସେନା ତରଫରୁ ବିଜେପିକୁ ଟାର୍ଗେଟ କରି କୁହାଯାଇଛି କି, ବିଜେପି ସରକାରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁରା ଭୁଶୁଡି ପଡିଛି । ବିଜେପି ସରକାରରେ ମହିଳାମାନେ ଅଧିକ ଅସୁରକ୍ଷିତ ହୋଇପଡିଥିବା ଶିବସେନା ଅଭିଯୋଗ କରିଛି ।

ୟୁପିରେ ବିଜେପି ସରକାର ବ୍ରାହ୍ମଣମାନଙ୍କ ସହ ଠିକ୍ ବ୍ୟବହାର କରୁନାହିଁ । ଏହାସହ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଧାର ପାଇଁ ଯୋଗୀ ସରକାର କୌଣସି ପଦକ୍ଷେପ ନେଉ ନଥିବା କଥା ସେ ଅଭିଯୋଗ କରିଛନ୍ତି । ବେରୋଜଗାରି ଓ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଦଳ ଯୋଗୀ ସରକାରଙ୍କୁ ଘେରିବ ବୋଲି ଶିବସେନା କହିଛି ।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢିଥିଲେ ବି ସରକାର ଗଠନ କରିବା ସମୟରେ ଶିବସେନା ବିଜେପିକୁ ସାଙ୍ଗରେ ନନେଇ କଂଗ୍ରେସ ଓ ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିଲା । ଏହାପରେ ଶିବସେନା ଓ ବିଜେପି ମଧ୍ୟରେ ଥିବା ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ହେଲେ ୟୁପି ରାଜନୀତିରେ ଶିବସେନା ପୁଣିଥରେ ବିଜେପିକୁ ଚକମା ଦେଖାଇଛି ।