ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ

ନୂଆଦିଲ୍ଲୀ ୧୩।୦୯ : (ସଂକେତ ଟିଭି) ଉତ୍ତର କୋରିଆ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ର 1500 କିଲୋମିଟର ଦୂରତା ଅତିକ୍ରମ କରି ଲକ୍ଷ୍ୟସ୍ଥଳ ଭେଦ କରିପାରିବ । ଗତ ଶନିବାର ଓ ରବିବାର ଦୁଇଦିନ ଏହାର ପରୀକ୍ଷଣ କରାଯାଇଥିବା ସୂଚନା ଦେଇଛି ସରକାରୀ କୋରିଆନ ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି।

ତିନି ଦିନ ପୂର୍ବେ ଉତ୍ତର କୋରିଆ ଏହାର 73 ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ଏହି ଅବସରରେ ଯଦି ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଏହି କ୍ଷେପଣାସ୍ତ୍ର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ୱାର୍କର୍ସ ଡେଲି ଖବରକାଗଜ କ୍ଷେପଣାସ୍ତ୍ର ପରୀକ୍ଷା ଏବଂ ଆକାଶରେ ଉଡ଼ୁଥିବା ଦୁଇଟି ଫଟୋଗ୍ରାଫ୍ ସହିତ କ୍ଷେପଣାସ୍ତ୍ର ପରୀକ୍ଷଣ ବିଷୟରେ ଏକ ଆର୍ଟିକିଲ୍ ପ୍ରକାଶ କରିଥିଲା।

ସୂଚନା ଅନୁଯାୟୀ, 1500 କିଲୋମିଟର ଦୂରତା ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ତାର ଲକ୍ଷ୍ୟକୁ 7,580 ସେକେଣ୍ଡରେ ଭେଦ କରିଥିଲା । ତେବେ ସରକାରୀ ରିପୋର୍ଟ ଅନୁଯାୟୀ କିମ ଜୋଙ୍ଗ ଏହି ଅବସରରେ ଉପସ୍ଥିତ ନଥିଲେ। ହେଲେ ତାଙ୍କୁ ଉତ୍ତର କୋରିଆର ପ୍ରତିଷ୍ଠା ସମାରୋହ ପ୍ୟାରେଡରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଜଣେ ସୈନିକଙ୍କ ପୋଷାକରେ ଦେଖାଦେଇଥିଲେ। ଏହି ସମୟରେ ତାଙ୍କର ଓଜନ ପୂର୍ବ ଅପେକ୍ଷା ବହୁତ କମ୍ ଥିବା ଜଣାପଡୁଥିଲା ।

ସୂଚନାଯୋଗ୍ୟ ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଉତ୍ତର କୋରିଆ ବିରୁଦ୍ଧରେ ଆନ୍ତର୍ଜାତିକ କଟକଣା ଲାଗୁ କରାଯାଇଛି। ତେବେ ପ୍ୟୋଙ୍ଗୟାଙ୍ଗକୁ କ୍ରୁଜ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ କଟକଣା ଲଗାଯାଇନାହିଁ। ତତ୍‍ସହିତ ଆମେରିକାର ଆକ୍ରମଣକୁ ପ୍ରତିହତ କରିବାକୁ ଏହା ନିଜର ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନେଉଥିବା ଉତ୍ତର କୋରିଆ କହିଛି।