ଶତୃ ଦେଶକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ଯ ଲିକ୍ କରି ୪ ଠିକା କର୍ମଚାରୀ ଗିରଫ

ବାଲେଶ୍ବର, ୧୪।୦୯: (ସଂକେତ୍ ଟିଭି) ପଡୋଶୀ ଦେଶର ଗୁପ୍ତଚରଙ୍କୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ସୂଚନା ଦେଉଥିବା ଅଭିଯୋଗରେ ୮ ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । ସେମାନଙ୍କ ମଧ୍ଯରୁ ୪ ଜଣଙ୍କୁ ପୋଲିସ ଗିରଫ କରାଯାଇଛି ।

ବାଲେଶ୍ବର ପୋଲିସ ସହାୟତାରେ ଭାରତୀୟ ଗୁଇନ୍ଦା ସଂସ୍ଥା ବା ଆଇବି ସେମାନଙ୍କୁ ଆଣି ସଦରଥାନାରେ ପଚରାଉଚରା କରାଯାଇଥିଲା । ଗତକାଲି ରାତିରେ ସେହି ଠିକା କର୍ମଚାରୀଙ୍କୁ ପୋଲିସ ଝାମ୍ପରାହାଟ ଓ ନୂଆନଈ ଅଂଚଳରୁ ଉଠାଇ ଆଣିଥିଲା। ବାଲେଶ୍ବର ସଦର ଥାନାରେ ଆଇବିର ଅଧିକାରୀମାନେ ଏବଂ ପୂର୍ବାଂଚଳ ଆଇଜି ଓ ଏସପି ତାଙ୍କୁ ପଚାର ଉଚରା କରିଥିଲେ । ପଚରାଉଚରା ପରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଂଚଳରେ । ଅଭିଯୁକ୍ତମାନେ ଡିଆରଡିଓରେ ଏସି ଓ ଜେନେରେଟର ଅପରେଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା। ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି। ରାଜସ୍ଥାନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନୂଆଦିଲ୍ଲୀରେ ଆଇବିକୁ ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱାର୍ଟରକୁ ଅବଗତ କରାଯାଇଥିଲା।

ଏହା ପରେ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟି ଟିମ୍‌ ଗଠନ କରାଯାଇଥିଲା। ଯେଉଁଥିରେ ୬ ଡିଏସପି ଓ ୬ ଜଣ ଆଇଆଇସି ରହିଛନ୍ତି। ତିନି ଦିନର ତନାଘନା ପରେ ପୋଲିସ ୪ ସନ୍ଦିଗ୍ଧଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା।