ଟି-୨୦କ୍ରିକେଟ୍‌ରୁ ସନ୍ୟାସ ନେଲେ କ୍ରିକେଟ୍‌ର ଲସିଥ୍ ମାଲିଙ୍ଗା

ନୂଆଦିଲ୍ଲୀ୧୪।୯: (ସଂକେତ ଟିଭି) ଟି-୨୦କ୍ରିକେଟ୍‌ରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗା । ସେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ଦିନିକିଆ ଏବଂ ଟେଷ୍ଟରୁ ଅବସର ନେଇ ସାରିଛନ୍ତି।

ଟି-୨୦ କ୍ରିକେଟ୍‌ରେ ଅନ୍ୟତମ ସଫଳ ବୋଲର ଭାବରେ ମାଲିଙ୍ଗାଙ୍କୁ ସମସ୍ତେ ଜାଣିଛନ୍ତି । ସେ ସମଗ୍ର ଦୁନିଆରେ ୨୯ଟି ଦଳ ପକ୍ଷରୁ ଟି-୨୦ ଖେଳିଛନ୍ତି। ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ପ୍ରମୁଖ ସଦସ୍ୟ। ସେ ୨୯୫ ଟି-୨୦ ମ୍ୟାଚ୍‌ରୁ ୩୯୦ ଓ୍ଵିକେଟ୍ ହାସଲ କରିଛନ୍ତି। ମାଲିଙ୍ଗା ୫ଟି ମ୍ୟାଚ୍‌ରେ ୫ଟି ଲେଖାଏଁ ଓ୍ଵିକେଟ୍ ଏବଂ ୧୦ଟି ମ୍ୟାଚ୍‌ରେ ୪ ଓ୍ଵିକେଟ୍ ଲେଖାଏଁ ନେଇଛନ୍ତି।

ମାଲିଙ୍ଗା ଆଇପିଏଲ୍‌ରେ ମଧ୍ୟ ସବୁଠୁ ଅଧିକ ୧୭୦ ଓ୍ଵିକେଟ୍ ହାସଲକାରୀ ବୋଲର। ହେଲେ ଅମିତ୍ର ମିଶ୍ର ତାଙ୍କ ରେକର୍ଡ ଭାଙ୍ଗିବାଠୁ ମାତ୍ର ୫ ଓ୍ଵିକେଟ୍ ଦୂରରେ ଅଛନ୍ତି। ମାଲିଙ୍ଗା ନିଜର ୟର୍କର ପାଇଁ କ୍ରିକେଟ୍‌ ଦୁନିଆରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଯଶପ୍ରୀତ ବୁମରାଙ୍କ ସଫଳତା ପଛରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ହାତ ରହିଛି।

ହେଲେ ଗତ ବର୍ଷଠାରୁ ମାଲିଙ୍ଗା ଟି-୨୦ କ୍ରିକେଟ୍‌ରୁ ଦୂରରେ ଥିଲେ। ସେ ଆଇପିଏଲ ୨୦୨୦ରୁ ମଧ୍ୟ ନିଜର ନାମ ଫେରାଇ ନେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ମାଲିଙ୍ଗା ଏବେ କ୍ରିକେଟ୍‌କୁ ଅଲବିଦା କହିବାକୁ ସ୍ଥିର କରି ନେଇଥିବା ସୂଚନା ଦେଇଥିଲା।

ମାଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଞ୍ଚ ଥର ହ୍ୟାଟ୍ରିକ୍ ନେଇଥିବା ବେଳେ କ୍ରମାଗତ ୪ ଓ୍ଵିକେଟ୍ ନେବାର ବିରଳ ରେକର୍ଡ କରିଛନ୍ତି। ମାଲିଙ୍ଗା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ ଓ୍ଵିକେଟ୍‌ ହାସଲ କରିବାରେ ପ୍ରଥମ ବୋଲର। ଦିନିକିଆରେ ତିନି ଥର ହ୍ୟାଟ୍ରିକ୍ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ହେଉଛନ୍ତି ମାଲିଙ୍ଗା। ଏଥିସହ ବ୍ୟାଟିଂରେ ମଧ୍ୟ ସେ ୨୦୧୦ରେ ଅବିଶ୍ଵସନୀୟ ପ୍ରଦର୍ଶନ କରିଥିଲେ। ମାଲିଙ୍ଗା ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ସହ ମିଶି ନବମ ଓ୍ଵିକେଟ୍ ପାଇଁ ୧୩୨ ରନ ଯୋଡିଥିଲେ, ଯାହା ଆଜି ମଧ୍ୟ ବିଶ୍ଵ ରେକର୍ଡ ହୋଇ ରହିଛି।

ଅବସର ଘୋଷଣା କରି ମାଲିଙ୍ଗା ଟ୍ଵିଟ୍ କରି କହିଛନ୍ତି, ମୁଁ ଏବେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରୁଛି। ମୁଁ ସେହି ଲୋକମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋ ଯାତ୍ରା ସହିତ ରହିଥିଲେ ଏବଂ ସମର୍ଥନ ଦେଇ ଆସୁଥିଲେ। ମୁଁ ଏବେ ଆଗାମୀ ସମୟରେ ଯୁବ କ୍ରିକେଟ୍‌ରଙ୍କୁ ନିଜର ଅନୁଭବ ବାଣ୍ଟିବି।