ଦିନରାତି ଜଙ୍ଗଲ ଜଗୁଥିଲେ; କିନ୍ତୁ ଏବେ ସେମାନେ ସରକାରଙ୍କ ପାଇଁ ଅଲୋଡ଼ା

ଔପଦା ୧୪।୯: (ରଣଜୀତ ମହାକୁଡ) ଦିନେ ଏମାନେ ସରକାରଙ୍କ ପାଇଁ ଜଙ୍ଗଲକୁ ସୁରକ୍ଷା ଦେଉଥିଲେ। କିନ୍ତୁ ଆଜି ସରକାରଙ୍କ ପାଇଁ ସେମାନେ ଅଲୋଡ଼ା। ସେମାନଙ୍କୁ ଚାକିରିରୁ ଛଟେଇ କରାଯାଉଛି । ଏହା ହେଉଛି ଦୁଇ ଜଣ ସବୁଜବାହିନୀ କର୍ମଚାରୀଙ୍କ କାହାଣୀ । ସେମାନେ ହେଲେ ବାଲେଶ୍ଵର ଜିଲ୍ଲାର ଔପଦା ବନ ବିଭାଗ ଅଧୀନରେ ଥିବା ଖୁଣ୍ଟାପାଟଣା ବିଟ୍ ର ସବୁଜ ବାହିନୀ ର କର୍ମଚାରୀ ମହେଶ୍ୱର ପାଣ୍ଡିଆ ଏବଂ ବେତେଇ ବିଟରେ ଥିବା କୃଷ୍ଣଚନ୍ଦ୍ର ବେହେରା ।

ସୂଚନାଯୋଗ୍ୟ ଯେ, ଜଙ୍ଗଲକୁ କାଠ ମାଫିଆ ଏବଂ ଶିକାରୀଙ୍କ ଦାଉରୁ ରକ୍ଷା କରୁଥିବା ଏହି ସବୁଜ ବାହୀନିର କର୍ମଚାରୀ ଆଜି ଅସୁରକ୍ଷିତ ହୋଇପଡିଛନ୍ତି । ଏତେ ବର୍ଷ କାମ କରିବା ପରେ ହଠାତ ଚାକିରୀରୁ ବିଦା ହେବା ପରେ ପରିବାର କେମିତି ପାଳିବେ ଏହି ଚିନ୍ତାରେ ପଡିଯାଇଛନ୍ତି । ତାଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ । ତେଣୁ ତାଙ୍କୁ ଜିଲ୍ଲା ବନ ଅଧିକାରୀଙ୍କ ନିର୍ଦେଶରେ ଚାକିରିରୁ ଛଟେଇ କରାଯାଇଥିବା ତାଙ୍କୁ ନିଯୁକ୍ତି ଦେଇଥିବା କମ୍ପାନୀ ଭିଜନ ସିକ୍ୟୁରୀଟି ସଫେଇ ଦେଉଛି ।

ସେପଟେ ନିଜ ପରିବାର ପ୍ରତିପୋଷଣ ଏବଂ ନିଜେ ପେଟ ପାଇଁ ଗଣ୍ଡେ ଦାନା ପାଇଁ ଆନ୍ଦୋଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ପ୍ରଥମେ ଆମେ ୧୨୦୦ ଟଙ୍କାରେ ଆମେ ଚାକିରୀ କରିଥିଲୁ । ଏବେ ଆମେ ୭୫୦୦ ଟଙ୍କା ପାଉଥିଲୁ । ଦିନ ରାତି କାମ କରିଥିଲୁ ,ତିନି ମାସ ହେଲା ଦରମା ପାଇନାହୁଁ । ହାତୀ ଗୋଡାଇବା, ଶିକାରୀ ଜଗିବା ଜଙ୍ଗଲରେ ନିଆଁ ଲିଭାଇବା ଭଳି ଅନେକ କାମ ଆମେ କରୁଥିଲୁ । ୮ ଘଂଟା ପାଇଁ କାମ କରିବାକୁ ଠିକା ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ ବି ଆମେ ସବୁବେଳେ ଜଙ୍ଗଲ ହିଁ ରହିଥାଉ । ଏବେ କିନ୍ତୁ ଆମେ ଅଲୋଡା । ଆମେ କଣ କରିବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।