ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସି ଶଙ୍କର ଗିରଫ, ମୁଣ୍ଡ ଉପରେ ଥିଲା ୨୦ ଲକ୍ଷ ଟଙ୍କା ପୁରସ୍କାର

ଭୂବନେଶ୍ବର୧୪।୯: (ସଂକେତ ଟିଭି) ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସି ଶଙ୍କର ଗିରଫ । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ୧୦ଟି ଗୁଳି, ମୋବାଇଲ ଓ ଟଙ୍କା ଜବତ କରାଯାଇଛି ।

ଦୁବାସି ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ଆଗଧାଡ଼ିର ନେତା ଥିଲେ । ୨୦ ବର୍ଷ ଧରି ସେ ମାଓ ସଂଗଠନରେ କାମ କରୁଥିଲେ । ଶଙ୍କରର ଅନେକ ହତ୍ୟା ଓ ବିସ୍ଫୋରଣ ମାମଲାରେ ସଂପୃକ୍ତି ରହିଛି । ୨୦୦୯ ଦାମନଯୋଡ଼ି ଆକ୍ରମଣରେ ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ସେପଟେ ଜୋନାଲ କମିଟିର ମହିଳା ସଦସ୍ୟ କିରଣ ସୋନାଲ ମାନବି ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କିରଣ ଆଗ୍ରହୀ । କିରଣକୁ ମିଶାଇ ଏଯାଏଁ ରାଜ୍ୟର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ କରିସାରିଲେଣି ବୋଲି ଡିଜିପି ସୂଚନା ଦେଇଛନ୍ତି ।